୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ନିଖୋଜ: ପ୍ରଶାସନର ବଢ଼ିଲା ଚିନ୍ତା

ବେଙ୍ଗାଲୁରୁ, ୨୬।୭: କରୋନା ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ସଙ୍କଟ ଜନକ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ବେଙ୍ଗାଲୁରୁ ସହରରେ ଶହେ ଅବା ୨ ଶହ ନୁହେଁ, ଏକାଥରକେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କର କୌଣସି ଖୋଜ୍‌ ଖବର ମିଳୁନାହିଁ। ଏତେ ସଂଖ୍ୟକ ଆକ୍ରାନ୍ତ ନିଖୋଜ ହେବା ଯୋଗୁ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୪୨ ଛୁଇଁଛି। ସେହିପରି ମୃତକଙ୍କ ସଂଖ୍ୟା ୧,୭୯୬ରେ ପହଞ୍ଚିଛି। ରାଜ୍ୟର ରାଜଧାନୀ ବେଙ୍ଗାଲୁରୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ଟପିଛି। ଏପରିସ୍ଥଳେ ବେଙ୍ଗାଲୁରୁ ସହରର ୩ ହଜାର ୩୩୮ ଆକ୍ରାନ୍ତ କୁଆଡ଼େ ଗଲେ ତାହାର ସୂଚନା ପ୍ରଶାସନ ପାଖରେ ନାହିଁ। ସେମାନଙ୍କର ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନେ କ୍ୱାରାଣ୍ଟାଇନ୍‌ରେ ଥିଲେ। ମାତ୍ର ଏବେ ସେମାନଙ୍କୁ ଟ୍ରାକ୍‌ କରିବା କଷ୍ଟକର ହୋଇପଡ଼ିଛି। ପୋଲିସ ସହାୟତାରେ ନିଖୋଜ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବାରେ ଉଦ୍ୟମ କରାଯାଉଥିବା ମହାନଗର ପାଳିକା କମିଶନର ଏନ୍‌.ମଞ୍ଜୁନାଥ ପ୍ରସାଦ କହିଛନ୍ତି। କେତେକ ଆକ୍ରାନ୍ତ ଭୁଲ୍‌ ମୋବାଇଲ୍‌ ନମ୍ବର ଦେଇଥିବା ସେ ପ୍ରକାଶ କରିଛନ୍ତି। ଆକ୍ରାନ୍ତ ନିଖୋଜ ହେବାରୁ ଲୋକମାନେ ଗୋଷ୍ଠୀ ସଂକ୍ରମଣ ନେଇ ଆତଙ୍କିତ ହୋଇ ପଡ଼ିଥିବା ମଞ୍ଜୁନାଥ କହିଛନ୍ତି।

Share