କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀ ମୃତ: ଚିନ୍ତାରେ ସରକାର

ଗାବ୍ରୋନେ, ୨।୭: ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନାରେ ଗତ ୨ ମାସ ମଧ୍ୟରେ କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ଦେଶର ଅଧିକାଂଶ ଜଳାଶୟ ଶୁଖି ଯାଇଥିବାବେଳେ ଏଥିରେ କାଦୁଅ ଭରି ରହିଛି। କାଦୁଅରେ ପଶିବା ଏବଂ ବାହାରିବା ହାତୀ ପାଇଁ କଷ୍ଟସାଧ୍ୟ ନୁହେଁ। କେତେକ ହାତୀ ଜଳାଶୟ କୂଳରେ ମଧ୍ୟ ପଡ଼ିଥିବା ଦେଖାଯାଉଛି। ମୃତ ହାତୀଗୁଡ଼ିକ ପ୍ରାୟତଃ ମୁହଁମାଡ଼ି ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଏଭଳି କାହିଁକି ହେଉଛି ସେନେଇ ପରିବେଶ୍‌ବିତ୍‌ ଚିନ୍ତାରେ ପଡ଼ିଛନ୍ତି। ଏହା ପୂର୍ବରୁ ଏଭଳି ଘଟଣା କେବେ ମଧ୍ୟ ଘଟି ନ ଥିବା କୁହାଯାଉଛି। ମେ’ମାସ ଆରମ୍ଭରୁ ବର୍ତ୍ତମାନ ମଧ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତ ହାତୀଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ସେଭଳି କୌଣସି ସୁଫଳ ମିଳି ନ ଥିବା ସରକାର କହିଛନ୍ତି। ଏନେଇ ବନ୍ୟପ୍ରାଣୀ ବିଭାଗର ନିର୍ଦ୍ଦେଶକ ଡ.ସିରିଲ୍‌ ତାଓଲୋ କହିଛନ୍ତି ଯେ, କରୋନା ମହାମାରୀ ସଂକ୍ରମଣ ଯୋଗୁ ହାତୀଗୁଡ଼ିକର ନମୁନା ପରୀକ୍ଷା ଶୀଘ୍ର କରି ହେଉନାହିଁ। ପରୀକ୍ଷା ଲାଗି ନମୁନାକୁ ବାହାର ଦେଶକୁ ପଠାଯାଉଛି। ଫଳରେ ରିପୋର୍ଟ ମିଳିବାରେ ଡେରି ହେଉଛି। ମଣିଷଙ୍କଠାରୁ ହାତୀକୁ ସଂକ୍ରମଣ ହୋଇଛି କି ନାହିଁ ତାହାର ଯାଞ୍ଚ୍‌ ମଧ୍ୟ ଜାରି ରହିଛି।

Share