Categories: ଜାତୀୟ

ସରକାରୀ ସ୍କୁଲରୁ ୩ ଦିନରେ ବାହାରିଲା ୩ ଡର୍ଜନରୁ ଅଧିକ ବିଷାକ୍ତ ସାପ

କଟିହାର, ୧୨।୦୭: ତିନିଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ ୩ ଡର୍ଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି । ବିହାରର କଟିହାରରେ ଏପରି ଘଟଣା ଦେଖିବାକୁ ମିଳିଛି । ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି । ଫଳରେ ଏହି ଘଟଣାରେ ସ୍କୁଲର ଛାତ୍ରୀଛାତ୍ର ସମେତ ଶିକ୍ଷକମାନେ ମଧ୍ୟ ଭୟଭୀତ ହୋଇଛନ୍ତି । କୁହାଯାଉଛି କି, ଲଗାତାର ବର୍ଷା ହେବା କାରଣରୁ ସାପମାନଙ୍କ ରହଣୀ ସ୍ଥାନରେ ପାଣି ପଶିଯାଇଥିବ । ସେହି କାରଣରୁ ସୁରକ୍ଷିତ ସ୍ଥାନ ଦେଖି ସାପଗୁଡ଼ିକ ସ୍କୁଲ ଭିତରକୁ ପଶିଆସୁଛନ୍ତି ।

କଟିହାରର ମନୋହରି ଗାଁର ପ୍ରାଥମିକ ବିଦ୍ୟାଳୟ ନିକଟରେ ବୁଦାଗୁଡ଼ିକ ରହିଥିବା ବେଳେ ଏହା ଜଙ୍ଗଲର ଅତି ନିକଟରେ ରହିଛି । ଯାହାଫଳରେ ସାପଗୁଡ଼ିକ ସ୍କୁଲ ଭିତରକୁ ଆରାମରେ ପଶି ଆସୁଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ସାପ ନାଗ ଜାତିର ହୋଇଥିବା ଜଣାପଡ଼ିଛି । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଚାରିପାଖ ସହ ସମ୍ପୂର୍ଣ୍ଣ ସ୍କୁଲ ପରିସରକୁ ସାନିଟାଇଜ୍‌ କରାଯାଇଛି ।

Share