Categories: ଜାତୀୟ

ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର

ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିସ୍ଥଳେ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଦେଶରେ ୪ କୋଟିରୁ ଅଧିକ ଗାଡ଼ିମୋଟର ରାସ୍ତାରେ ଗଡୁଛି। ସେଥିମଧ୍ୟରୁ ୨ କୋଟିରୁ ଅଧିକ ଗାଡ଼ିମୋଟର ୧୫ ବର୍ଷ ପୁରୁଣା। ଅପର ପକ୍ଷରେ ୨ କୋଟିରୁ ଅଧିକ ୨୦ ବର୍ଷରୁ ଅଧିକ ପୁରୁଣା ବୋଲି ରିପୋର୍ଟ ଦର୍ଶାଯାଇଛି। ସେଥିମଧ୍ୟରୁ କର୍ନାଟକରେ ସର୍ବାଧିକ ୭୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିମୋଟର ରହିଛି। ଏହା ପଛକୁ ଉତ୍ତରପ୍ରଦେଶରେ ରହିଛି। ରାଜ୍ୟରେ ୫୬.୫୪ ଲକ୍ଷ ପୁରୁଣା ଗାଡ଼ିମୋଟର ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ୨୪.୫୫ ଲକ୍ଷ ୨୦ ବର୍ଷରୁ ଅଧିକ ପୁରୁଣା। ଦିଲ୍ଲୀରେ ପୁରୁଣା ଗାଡ଼ିମୋଟର ସଂଖ୍ୟା ୪୯.୯୩ ଲକ୍ଷ ରହିଛି। ସେଥିମଧ୍ୟରେ ୩୫.୧୧ ଲକ୍ଷ ୨୦ ବର୍ଷ ପୁରୁଣା। ସେହିପରି କେରଳରେ ୩୪.୬୪ ଲକ୍ଷ, ତାମିଲନାଡୁ ୩୩.୪୩ ଲକ୍ଷ, ପଞ୍ଜାବରେ ୨୫.୩୮ ଲକ୍ଷ, ପଶ୍ଚିମବଙ୍ଗରେ ୨୨.୬୯ ଲକ୍ଷ ପୁରୁଣା ଗାଡ଼ି ରହିଛି। ମହାରାଷ୍ଟ୍ର, ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ହରିୟାଣା ଆଦି ରାଜ୍ୟରେ ପୁରୁଣା ଗାଡ଼ି ସଂଖ୍ୟା ୧୭.୫୮ ଲକ୍ଷରୁ ୧୨.୨୯ ଲକ୍ଷ ମଧ୍ୟରେ ରହିଛି। ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ଼, ହିମାଚଳପ୍ରଦେଶ, ପୁଡୁଚେରୀ, ଆସାମ, ବିହାର, ଗୋଆ, ତ୍ରିପୁରା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହାଭେଲି ଏବଂ ଡାମନ-ଡିୟୁରେ ଏଭଳି ଗାଡ଼ି ସଂଖ୍ୟା ଲକ୍ଷେରୁ ୫.୪୪ ଲକ୍ଷ ମଧ୍ୟରେ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଲାକ୍ଷାଦ୍ୱୀପ ଆଦିର ରିପୋର୍ଟ ମିଳି ନ ଥିବାରୁ ଏଥିରେ ସ୍ଥାନୀତ ହୋଇପାରିନାହିଁ।

Share