ଓଡ଼ିଶାରୁ କୁମ୍ଭମେଳା ଯାଇଛନ୍ତି ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଓଡ଼ିଶାରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉତ୍ତରାଖଣ୍ଡର କୁମ୍ଭମେଳାକୁ ଯାଇଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ପରିବାରରୁ ଏହି ଶ୍ରଦ୍ଧାଳୁ ରହିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୫ ପରିବାର ଥିବାବେଳେ ନବରଙ୍ଗପୁର ୨୩, ପୁରୀ ୨୦, ଖୋର୍ଦ୍ଧା ୧୧, କଟକ ୯, ବାଲେଶ୍ୱର ୭, ଝାରସୁଗୁଡ଼ା ୧, କୋରାପୁଟ ୯, ଅନୁଗୋଳ ୪, ବରଗଡ଼ ୩, ଭଦ୍ରକ ୨, ବଲାଙ୍ଗୀର ୭, ବୌଦ୍ଧ ୧, ଢେଙ୍କାନାଳ ୧, ଜଗତ୍‌ସିଂହପୁର ୩, ଯାଜପୁର ୧, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୧, ମୟୂରଭଞ୍ଜ ୨, ନୟାଗଡ଼ ୩, ରାୟଗଡ଼ା ୬, ସମ୍ବଲପୁର ୪, ସୋନପୁର ୬ ଓ ସୁନ୍ଦରଗଡ଼ରୁ ୪ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି। ତେବେ କୁମ୍ଭମେଳା ଫେରନ୍ତାଙ୍କ ଓଡ଼ିଶାରେ ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି। ଗତବର୍ଷ ଠିକ୍‌ ମାର୍ଚ୍ଚରେ ଦିଲ୍ଲୀ ନିଜାମୁଦ୍ଧିନ ଫେରନ୍ତା ପାଲଟିଥିଲେ ସୁପରସ୍ପ୍ରେଡର। କୁମ୍ଭମେଳାରେ ୧୭୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଛି। ତେଣୁ ଯେଉଁମାନେ ଓଡ଼ିଶାରୁ ଯାଇଥିଲେ ସେହି ଫେରନ୍ତାଙ୍କ ପାଇଁ ଏସ୍‌ଆର୍‌ସି ଶନିବାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏନେଇ ସବୁ ଜିଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି।

Share