୭ଦିନରେ ଭାଙ୍ଗିଲେଣି ୫ରୁ ଅଧିକ ଘର

ନୂଆଗାଁ ,୧୮ା୮(ବିଜୟ ତ୍ରିପାଠୀ): ସୁନ୍ଦରଗଡ ଜିଲା ନୂଆଗାଁ ଅଞ୍ଚଳରେ ଗତ କିଛିଦିନ ହେବ ହାତୀ ଉପଦ୍ରବ୍ୟ ଥମିବାର ନଁା ଧରୁନାହିଁ। ୨ ଝାଡ଼ଖଣ୍ଡୀ ହାତୀ ଉଭୟ ବିଶ୍ରା ଓ ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ୭ଦିନ ପୂର୍ବେ ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଗୋଲଦାରୁ ସ୍କୁଲରୁ ୨ଟି ହାତୀ ୫୦କି.ଗ୍ରା.ରୁ ଅଧିକ ଚାଉଳ ଖାଇଦେଇଥିବା ବେଳେ ଅଫିସ ଘରକୁ ମଧ୍ୟ ଭାଙ୍ଗିଦେଇଥିଲେ। ଏହି ଘଟଣା ପରେ ବୀରମିତ୍ରପୁର ବନ କର୍ମଚାରୀ ଉକ୍ତ ୨ହାତୀଙ୍କୁ ରାତିରେ ବାଗଡେଗା ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥିଲେ। ତେବେ ଉକ୍ତ ହାତୀ ୨ଦିନ ପୂର୍ବେ ପତ୍ରାଟୋଲି ଗ୍ରାମରେ ଆତଙ୍କ ଖେଳାଇଛନ୍ତି। ରାତିରେ ଧନସିଂ ଭୂମିଜଙ୍କ ଘର ଭାଙ୍ଗିବା ସହ ଆସବାବପତ୍ର ସବୁ ନଷ୍ଟ କରିଦେଇଛନ୍ତି। ସେହିଭଳି ବାରିଲେପ୍ଟା ପଞ୍ଚାୟତ ଗୁଡ଼ଗୁଡା ଗ୍ରାମରେ ବିଳାସ ବାଡ଼ାଙ୍କ ଘରଭାଙ୍ଗି ଦେଇଛନ୍ତି। ବୁଧବାର ରାତିରେ ପୁଣି ଗୋଟିଏ ଦନ୍ତାହାତୀ ବାଗଡେଗା ଗ୍ରାମରେ ପଶି ଦୁଧନାଥ ସାହୁଙ୍କ ଦୋକାନଘର ସଟର ଭାଙ୍ଗିଦେଇଥିବା ବେଳେ ଘୋଗା ଓରାମଙ୍କ ଘରକୁ ଭାଙ୍ଗିଦେଇଥିଲେ। ଗୋଠଛଡ଼ା ୨ ଦନ୍ତା ୨ ରେଞ୍ଜ ଅଞ୍ଚଳରେ ବହୁ କ୍ଷୟକ୍ଷତି କରୁଛନ୍ତି। ବନବିଭାଗ ଅଧିକାରୀ ହାତୀକୁ ଝାରଖଣ୍ଡ ଅଞ୍ଚଳକୁ ଘଉଡାଇବା ବଦଳରେ କେବଳ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଘଉଡାଇ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତେବେ ହାତୀଙ୍କୁ ଏହି ଅଞ୍ଚଳରୁ ସ୍ଥାୟୀଭାବେ କିପରି ଘଉଡାଯାଇପାରିବ ସେ ଦିଗରେ ବନବିଭାଗ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।