Categories: ବାଣିଜ୍ୟ

୩ ବର୍ଷରେ ୫ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୭।୮: (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆରଆଇଏଲ)ର ବାର୍ଷିକ ଫଳାଫଳ ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆରଆଇଏଲ ବିଗତ ତିନି ବର୍ଷରେ ମୋଟ ୫.୬୫୩ ଲକ୍ଷ କୋଟି ଟଙ୍କା ସରକାରୀ ରାଜକୋଷରେ ଜମା କରିଛି। ବିଶେଷ କରି କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସମେତ ସ୍ପେକ୍ଟ୍ରମ୍‌ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆରଆଇଏଲ ଏହି ଟଙ୍କା ସରକାରୀ ରାଜକୋଷର ଜମା କରିଛି। ସେହିଭଳି ୨୦୨୨-୨୩ ଆର୍ଥତ୍କ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। ଏପରିକି କମ୍ପାନୀର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଅଗଷ୍ଟ ୨୮ରେ ଅନୁଷ୍ଠିତ ହେବାକୁ ଯାଉଛି।

ବିଗତ ୩ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି, ତାହା ଭାରତ ସରକାରଙ୍କ ମୋଟ ବଜେଟ୍‌ ବ୍ୟୟର ୫% ରୁ ଅଧିକ ବୋଲି ଆକଳନ କରାଯାଉଛି। ସେହପରି ୨୦୨୧-୨୦୨୨ ଆର୍ଥତ୍କ ବର୍ଷରେ କମ୍ପାନୀ ମୋଟ ୧.୮୮ ଲକ୍ଷ କୋଟି ଟଙ୍କାର ଟିକସ ସରକାରୀ ରାଜକୋଷରେ ଜମା କରିଥିଲା। ଅପରପକ୍ଷରେ କମ୍ପାନୀ ପ୍ରତି ବର୍ଷ ନୂତନ ନିଯୁକ୍ତି ଦେଉଥିବାବେଳେ ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରିଲାଏନ୍ସ ଏକ ନମ୍ବର ସ୍ଥାନରେ ରହିଛି। ଏପରିକି କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥତ୍କ ବର୍ଷରେ ରିଲାଏନ୍ସ ୯୫,୧୬୭ ନୂଆ ନିଯୁକ୍ତି ସୃଷ୍ଟି କରିଥିଲା। ତାହାକୁ ମିଶାଇ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି । ସେଥିରୁ ୨.୪୫ ଲକ୍ଷ ଲୋକ ରିଲାଏନ୍ସ ରିଟେଲ୍‌ରେ ନିୟୋଜିତ ରହିଛନ୍ତି, ରିଲାଏନ୍ସ ରିଟେଲ୍‌ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। ରିଲାଏନ୍ସ ଜିଓରେ ୯୫ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଲଗାତର ତୃତୀୟ ବର୍ଷ ପାଇଁ ରିଲାଏନ୍ସ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି, କୋଭିଡ୍‌ ମହାମାରୀ ସମୟରେ ମଧ୍ୟ କମ୍ପାନୀ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଲଗାତର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ ଭାବେ ପରିଗଣିତ ହୋଇଥାଏ।

Share