Categories: ମେଟ୍ରୋ

ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଡ଼ି

ଭୁବନେଶ୍ୱର,୨୯।୬(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫ ଲକ୍ଷ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଯାଇଛି। ବାକି ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଡି ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଚାଲୁଛି। ଅନେକ ଗାଡି ମାଲିକ ଏହି ନମ୍ବର ପ୍ଲେଟ୍‌ ଲଗାଇବାକୁ ଅପେକ୍ଷାରତ ଅଛନ୍ତି। ଏପରିସ୍ଥିତିରେ ଗତ ୨୩ ତାରିଖରୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍‌ ଚେକିଂରେ ୮୦୦ରୁ ଊର୍ଦ୍ଧ୍ୱ ମାଲିକଙ୍କ ନାଁରେ ଇ-ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି।
ବିଭାଗୀୟ ସୂଚନାନୁସାରେ, ଓଡ଼ିଶା ରେଜିଷ୍ଟ୍ରେଶନ୍‌ ମାର୍କ ଥିବା ତଥା ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍‌ ପ୍ଲେଟ୍‌ (ଏଚଏସ୍‌ଆର୍‌ପି) ଲଗାଇବା ଅବଧି ଗତ ଫେବୃୟାରୀ ୨୮ରୁ ଶେଷ ହୋଇଛି। ଏବେବି ଅନେକ ଗାଡିରେ ବିକୃତ ନମ୍ବର ପ୍ଲେଟ ଥିବାବେଳେ ଅଧିକାଂଶ ଗାଡି ମାଲିକ ବୁକିଂ କରିଥିବା ନମ୍ବର ପ୍ଲେଟ୍‌କୁ ଅପେକ୍ଷା କରି ରହିଛନ୍ତି। ତେବେ ଗତବର୍ଷ ଅଗଷ୍ଟରେ ୭ ଲକ୍ଷ ୬ ହଜାର ୨୧୫ଟି ଗାଡି ମାଲିକ ସ୍ଲଟ ବୁକିଂ କରିଥିବାବେଳେ ଚଳିତବର୍ଷ ଜୁନ୍‌ ୭ ସୁଦ୍ଧା ୪୦ ଲକ୍ଷ ୯୩ ହଜାର ୬୦୮ଟି ଗାଡି ଲାଗି ସ୍ଲଟ୍‌ ବୁକିଂ ହୋଇଛି। ଏଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗି ଥିବାବେଳେ ବାକି ୫ ଲକ୍ଷ ଗାଡି ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ରେ ଚାଲୁଛି। ତେଣୁ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ମାଧ୍ୟମରେ ୨୫ ତାରିଖ ସୁଦ୍ଧା ୮୦୦ରୁ ଊର୍ଦ୍ଧ୍ୱ ଗାଡିକୁ ଧରାଯାଇଥିବାବେଳେ ୬୩୭ଜଣ ଗାଡି ମାଲିକଙ୍କ ନାମରେ ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି।
ଏନେଇ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀଙ୍କ କହିବା ଅନୁଯାୟୀ, ସେଣ୍ଟ୍ରାଲ ମୋଟର ଭେଇକିଲ୍‌ ରୁଲ୍‌(ସିଏମ୍‌ଭିଆର୍‌)୧୯୮୯ର ଧାରା ୫୦ ଅନୁଯାୟୀ ସମସ୍ତ ଯାନବାହନରେ ଏଚ୍‌ଏସ୍‌ଆର୍‌ପି ବାଧ୍ୟତାମୂଳକ। ମୋଟର ଭେଇକିଲ୍‌(ଏମ୍‌ଭି) ଆକ୍ଟ ୧୯୮୮ର ଧାରା ୧୯୨ ଅନୁସାରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ ଥିଲେ ଇ-ଚାଲାଣ କଟାଯିବ। ନିୟମ ପାଳନ କରୁ ନ ଥିବା ଗାଡି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ। ଗୋଟିଏ ଗାଡି ପ୍ରଥମଥର ଧରାପଡ଼ିଲେ ୫ ହଜାର ଓ ଦ୍ୱିତୀୟଥର ଧରାପଡିଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଏନେଇ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ନିୟମ ମାନୁ ନ ଥିବା ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ସେଠୀ କହିଛନ୍ତି।

Share