ଫସିଛନ୍ତି ୫ ହଜାର ଲୋକ

କୁଆଲାଲମ୍ପୁର/ମାନିଲା, ୨୧ା୧୨: ମାଲେସିଆରେ ଶୁକ୍ରବାରଠାରୁ ବର୍ଷା ଲାଗି ରହିଥିବାରୁ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ବନ୍ୟା କାରଣରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୫ ରାଜପଥ ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଅନେକ ରାସ୍ତାରେ ୫ ହଜାରରୁ ଅଧିକ ଲୋକ ଫସି ରହିଛନ୍ତି। ଫଳରେ ଲୋକଙ୍କୁ ଜରୁରୀ ସେବା ଯୋଗାଇ ଦିଆଯାଇ ପାରୁନାହିଁ।

୧୬ ରାଜ୍ୟରୁ ୮ଟିରେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜଧାନୀ କୁଆଲାଲମ୍ପୁରକୁ ଲାଗିଥିବା ସେଲାଙ୍ଗୋର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ପୋଲିସ, ସେନା ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମାଲେସିଆରେ ଗତ ଦଶନ୍ଧି ମଧ୍ୟରେ ଡିସେମ୍ବରରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବିପର୍ଯ୍ୟୟ ବୋଲି କୁହାଯାଉଛି।

Share