ବସୁଧା ଯୋଜନାରୁ ବଞ୍ଚିତ ୫୦ରୁ ଊର୍ଦ୍ଧ୍ୱ ପରିବାର

କୁକୁଡାଖଣ୍ଡି,୬।୧୨(ପ୍ରତାପ କୁମାର ସାହୁ): କୁକୁଡାଖଣ୍ଡି ରୋଡ଼ସାହିର ୫୦ରୁ ଉର୍ଦ୍ଧ୍ୱ ପରିବାର ବିଭିନ୍ନ ସମସ୍ୟା ମଧ୍ୟରେ ଅଛନ୍ତି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା, ବିଦ୍ୟୁତ ଖୁଣ୍ଟରେ ଆଲୋକୀକରଣ ଏବଂ ସବୁ ଘରକୁ ପାନୀୟ ଜଳ ଯୋଗାଇବା ଆଦି ଦାବି ନେଇ ବହୁ ମହିଳା ଓ ପୁରୁଷ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ରାଲିରେ ବ୍ଲକ ପର୍ଯ୍ୟନ୍ତ ଯାଇ ବିଡ଼ିଓ ପଲ୍ଲବୀ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ବ୍ଲକଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ରୋଡ଼ସାହିର ୫୦ରୁ ଉର୍ଦ୍ଧ ପରିବାର ସରକାରଙ୍କ ବସୁଧା ଯୋଜନାରୁ ବଞ୍ଚିତ ଅଛନ୍ତି। ବହୁବାର ଲିଖିତ ଓ ମୌଖିକ ଅଭିଯୋଗ ସତ୍ତ୍ୱେ ଏ ପର୍ଯ୍ୟନ୍ତ ଜଳ ଯୋଗାଣ ହୋଇପାରିନାହିଁ। ପ୍ରାୟ ବର୍ଷକ ତଳେ ସାହିର କେବଳ ପୂର୍ବପାର୍ଶ୍ୱରେ ଥିବା ଗୃହଗୁଡିକୁ ପାଇପ ବିଛା ଯାଇଥିଲେ ମଧ୍ୟ ପାଣି ଟୋପାଏ ଯୋଗାଣ ହୋଇନି। ସେହିପରି ରୋଡ଼ ପାର୍ଶ୍ୱରେ ୨୫ଟି ଷ୍ଟ୍ରିଟ ଲାଇଟ ଲାଗିଥିଲେ ବି ସେଥିରୁ ୧୦ଟି ଅଚଳ ରହିଛି l ସାହିରୁ ଦୈନିକ ଆବର୍ଜନା ନେବା ପାଇଁ ଏକ ଗାଡ଼ି ରହିଛି। ହେଲେ ତାହା ଦୈନକ ଆସିପାରୁନାହିଁ l ଆବର୍ଜନା ପକାଇବା ପାଇଁ ସାହି ନିକଟରେ ଡଷ୍ଟବିନ ରଖିବା ପାଇଁ ଦାବି କରାଯାଇଛି। କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଓ ବିଡିଓ ତୁରନ୍ତ ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ରିନୁ ଘଡେଇ, ଭୀମ ସେନ ଦଳାଇ , ବିଜୟ ପାଣିଗ୍ରାହୀ, ଆଦି ନାରାୟଣ ଆଚରି, ଟି ପ୍ରଦୀପ ପାତ୍ର, କାଳିଆ ପଣ୍ଡା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ l