ପୋଲ ଭାଙ୍ଗି ୫୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ଛିନ୍ନ

ନୂଆପଡା ଅଫିସ:୧୦।୦୮: ନୂଆପଡା ଜିଲା ସଦର ମହକୁମାଠାରୁ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜୋଙ୍କ ନଦୀ ପୋଲ ସାରାବଙ୍ଗଠାରେ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ୫୦ରୁ ଊର୍ଦ୍ଧ୍ୱ ଗାଁ ସମେତ ଛତିଶଗଡ ରାଜ୍ୟକୁ ଯାତାୟାତ ବିଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନା ମୁତାବକ, ଦୀର୍ଘ ୫ଦିନରୁ ଊର୍ଦ୍ଧ୍ୱ ହେବ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉପର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ଡ୍ୟାମରେ ୨ଟି ଗେଟ୍‌ ଖୋଲା ହୋଇଛି। ଫଳରେ ସାରାବଙ୍ଗଠାରେ ନିର୍ମାଣାଧିନ ଜୋଙ୍କ ନଦୀ ପୋଲ ଉପରେ ୩ ଫୁଟରୁ ଊର୍ଦ୍ଧ୍ୱ ପାଣି ଭର୍ତ୍ତି ହୋଇଯାଇଛି। ଏଥିଯୋଗୁ ପୋଲର ଦୁଇ ପାର୍ଶ୍ୱରେ ଘାଇ ସୃଷ୍ଟି ହୋଇ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ଆମାନାରା, କେନ୍ଦୁବାହାରା, ମୋଟାନୂଆପଡା ୩ ପଞ୍ଚାୟତରୁ ୩୫ ଗାଁ ଓ ଛତିଶଗଡ ରାଜ୍ୟର ପଡୋଶୀ ଗାଁ ଗୁଡିକ ବାହ୍ୟଜଗତରୁ ଯୋଗାଯୋଗ ଛିନ୍ନ ହୋଇଯାଇଥିବା ଜଣାପଡିଛି। ଏହି ପୋଲ ଅତି ନିମ୍ନମାନ ହୋଇଥିବାରୁ ଦୀର୍ଘ ଦିନରୁ ନୂତନ ପୋଲ ସ୍ଥାନରେ ବ୍ରିଜ ନିର୍ମାଣ କରିବା ପାଇଁ ଦାବି ହୋଇଆସୁଥିଲା। ହେଲେ କେହି କର୍ଣ୍ଣପାତ କରି ନ ଥିଲେ। ବର୍ତ୍ତମାନ ପୋଲ ନିର୍ମାଣ କରା ନ ଗଲେ ଅଧିକାଂଶ ଗାଁର ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ। ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଶୀଘ୍ର ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Share