୧୯୨୯ କଲ୍‌ ସେଣ୍ଟରକୁ ଆସିଲାଣି ୫୦ହଜାରରୁ ଊର୍ଦ୍ଧ୍ୱ କଲ୍‌

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କରୋନା ସମ୍ପର୍କିତ ସଚେତନତା ତଥା ପରାମର୍ଶ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୨୪ଘଣ୍ଟିଆ ୧୯୨୯ କଲ୍‌ ସେଣ୍ଟର କାର୍ଯ୍ୟ କରୁଛି। ପ୍ରତିଦିନ ଲୋକମାନେ ଏଠାକୁ କରୋନା ସମ୍ପର୍କିତ ତଥ୍ୟ ପାଇବା ପାଇଁ ଫୋନ୍‌ କରୁଛନ୍ତି। ଗତ ମାର୍ଚ୍ଚ ୨୫ରେ ଏହି କଲ୍‌ ସେଣ୍ଟର ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସମୟରେ ମାତ୍ର ୨ଟି ଓ୍ବାର୍କ ଷ୍ଟେଶନ କାମ କରୁଥିଲା। ମାତ୍ର କରୋନାର ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ କଲ୍‌ ଆସିବାକୁ ଲାଗିଲା। ଏହାକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ଆଉ ୩୩ଟି ଓ୍ବାର୍କ ଷ୍ଟେଶନ ଯୋଡ଼ା ଯାଇଥିଲା। ଏବେ ଏଠାରେ ୩୫ଟି ଓ୍ବାର୍କ ଷ୍ଟେଶନ ରହିଛି। ସେଥିମଧ୍ୟରୁ ୧୫ଟି ଇନ୍‌କମିଙ୍ଗ୍‌ କଲ୍‌ ପାଇଁ, ୫ଟି ଆଉଟ୍‌ଗୋଇଙ୍ଗ୍‌ ପାଇଁ, ୮ଟି ଡାକ୍ତରଙ୍କ ପରାମର୍ଶ ପାଇଁ ରହିଛି। ତେବେ ଟିକାକରଣ ପାଇଁ ରେଜିଷ୍ଟ୍ରେଶନ୍‌ ବୁକିଂ, ୬୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟିକା ଓ ଟେଷ୍ଟିଂ ପାଇଁ ବୁକିଂ ପାଇଁ ସେଥିରୁ ୪ଟି ଓ୍ବାର୍କ ଷ୍ଟେଶନ କାମ କରୁଛି। ମେ ୨୦ସୁଦ୍ଧା ଏହି ସେଣ୍ଟର ୫୦ହଜାରରୁ ଊର୍ଦ୍ଧ୍ୱ କଲ୍‌ କରି ଏକ ମାଇଲ ଷ୍ଟୋନ୍‌ ସ୍ଥାପନ କରିଛି। ଏଯାବତ୍‌ କରୋନା ସମ୍ବନ୍ଧୀୟ ୫୧ହଜାର ୩୫୧ ଇନ୍‌କମିଙ୍ଗ କଲ୍‌ ରିସିଭ୍‌ କରାଯାଇଥିବାବେଳେ ୫୦ହଜାର ୪୧୪ କଲ୍‌ ଗୃହ ସଙ୍ଗରୋଧ ବ୍ୟକ୍ତିଙ୍କୁ କଲ୍‌ ସେଣ୍ଟର ପକ୍ଷରୁ କରାଯାଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝାଯାଇଛି। ସେହିପରି ୧୪ହଜାର ୧୨୭ଜଣ ବ୍ୟକ୍ତି ଫୋନ୍‌ କରି ୧୯୨୯ରେ ନିୟୋଜିତ ଥିବା ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି। କୋଭିଡ୍‌ ପରିଚାଳନାକୁ ଆହୁରି ସୁଗମ କରିବା ପାଇଁ ୧୯୨୯ର କଲ୍‌ ସେଣ୍ଟର ଆରମ୍ଭ କରାଯାଇଥିଲା। ଯେପରି କୌଣସି କଲ୍‌ ଡ୍ରପ୍‌ ନ ହୁଏ ସେ ନେଇ ପଦକ୍ଷେପ ନେବା ସହ ଏଠାକୁ ଫୋନ୍‌ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ କିପରି ସହଯୋଗ କରାଯାଇ ପାରିବ ସେ ନେଇ ପ୍ରଚେଷ୍ଟା ଜାରି ରହିଛି ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।

Share