କୋରାପୁଟ,୪।୬(ନି.ପ୍ର.): ଆଇସକ୍ରିମ ଖାଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି।
ଶନିବାର ସେମିଳିଗୁଡା ବ୍ଲକର ବଦଳିଗଡ଼ା ଓ ଦୁଧାରୀ ଗାଁର ଲୋକେ ବୁଲା ଆଇସକ୍ରିମ ବିକାଳିଠାରୁ ଆଇସକ୍ରିମ କିଣି ଖାଇଥିଲେ। ଆଇସକ୍ରିମ ଖାଇବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁନାବେଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୪୦ ଜଣ ଭର୍ତ୍ତି ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ମାଥଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।