ପାଟଣା/ଠାକୁରମୁଣ୍ଡା,୨୧ା୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଞ୍ଚାୟତ ବାଲିଯୋଡ଼ି ମୌଜାସ୍ଥିତ ପ୍ରାଚୀନ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡଠାରେ ସାନ୍ତାଳୀ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ତହସିଲ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ୍ ଅଧୀନ ସ୍ବତୀଘାଟରେ ୬୦ ହଜାରରୁ ଊର୍ଦ୍ଧ୍ୱ ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କ ସମାଗମ ହୋଇଥିଲା। ମୟୂରଭଞ୍ଜ ସମେତ କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ। ସମସ୍ତେ ସାମୁହିକ ମୁଣ୍ଡନ, ଅସ୍ତି ବିସର୍ଜନ ସହ ବୁଡ଼ ପକାଇ ପିତୃ ପୁରୁଷଙ୍କୁ ପିଣ୍ଡ ଦେଇଥିଲେ। ଏଥି ସହ ନୂତନ ବସ୍ତ୍ର, ଛେଳି, କୁକୁଡ଼ା ଦାନ କରିଥିଲେ। ସାନ୍ତାଳୀ ନୃତ୍ୟ ଗୀତ ଓ ବାଦ୍ୟରେ ଭୀମକୁଣ୍ଡ ଉତ୍ସବ ମୁଖର ହୋଇଥିଲା। ବୈତରଣୀ ନଦୀ ଏଠାରେ ଦକ୍ଷିଣା ବର୍ତ୍ତ ହୋଇଥିବାରୁ ପିତୃ ପୁରୁଷଙ୍କୁ ପିଣ୍ଡ ପ୍ରଦାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କଥିତ ଅଛି। ସ୍ବତୀଘାଟରେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ବିଜୟ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା ମେଳାରେ ଯୋଗ ଦେଇଥିଲେ। କମିଟିର ସଭାପତି ଦାଶରଥି ସୋରେନ, ସମ୍ପାଦକ ଭାଗିରଥି ଟୁଡୁ, ସହ ସମ୍ପାଦକ ବସନ୍ତ ସୋରେନ, କୋଷାଧ୍ୟକ୍ଷ ଅବିନାଶ ଟୁଡୁ, ସଞ୍ଜୟ କୁମାର ମାଝି, ଭୀମସେନ ଟୁଡୁ, ବଜ୍ରକିଶୋର ଟୁଡୁ, ବିଜୟ ଟୁଡୁ, ଲାଲମୋହନ ମାଝି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।