Categories: ଜାତୀୟ

ତାଜମହଲରେ ନିଃଶୁଳ୍କ ପ୍ରବେଶ, ଗୋଟିଏ ଦିନରେ ବୁଲିଲେ ୬୦ ହଜାର ପର୍ଯ୍ୟଟକ

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଜମହଲ ସମେତ ସମସ୍ତ ଐତିହାସିକ ସ୍ଥଳରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରବେଶ ଅନୁମତି ମିଳିବା ପରେ ପ୍ରଥମ ୱିକଏଣ୍ଡରେ ଶନିବାର ତାଜମହଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପ୍ରବେଶ ଟିକେଟ ନ ଥିବାରୁ ଶନିବାର ମୁଖ୍ୟ ଗମ୍ବୁଜ ନିକଟରେ ପ୍ରବେଶ ପାଇଁ ଲମ୍ବା ଲାଇନ ଲାଗିଥିବା ଦେଖାଯାଇଥିଲା । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଖାପାଖି ୬୦ ହଜାରରୁ ଅଧିକ ପର୍ଯ୍ୟଟକ ତାଜମହଲ ବୁଲିଛନ୍ତି ।
ପାଖାପାଖି ୫୦୦ ମିଟର ଲାଇନ ଲାଗିଥିବାରୁ ପର୍ଯ୍ୟଟକଙ୍କୁ ଭିତରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ପ୍ରାୟ ୪-୫ ଘଣ୍ଟା ସମୟ ଲାଗିଥିଲା । ପ୍ରାୟ ୪ ବର୍ଷ ପରେ ମୁଖ୍ୟ ଗମ୍ବୁଜ ଓ ଚମେଲି ଫର୍ସରେ ଏଭଳି ଭିଡ ହୋଇଥିବା କୁହାଯାଉଛି । କରୋନା ମହାମାରୀ ପୂର୍ବରୁ ଖ୍ରୀଷ୍ଟମାସ ଛୁଟିରେ ଏଭଳି ଭିଡ ହୋଇଥିବାରୁ ଏଏସଆଇ ପ୍ରବେଶ ଶୁଳ୍କ ୨୦୦ଟଙ୍କା କରିଦେଇଥିଲା । ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମ ହୋଇଯାଇଥିଲା । ହେଲେ ଏବେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଏହା ନିଃଶୁଳ୍କ ହୋଇଯାଇଥିବାରୁ ଗୋଟିଏ ଦିନରେ ୬୦ ହଜାର ପର୍ଯ୍ୟଟକ ତାଜମହଲ ବୁଲି ଦେଖିଛନ୍ତି । ଏହି ଭିଡକୁ ଦେଖି ସୋମବାର କିଛି ପରିବର୍ତ୍ତନ କରାଯାଇପାରେ ବୋଲି ଏଏସଆଇ ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ ରାଜକୁମାର ପଟେଲ କହିଛନ୍ତି । ସୂଚନାଯୋଗ୍ୟ, ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରାୟ ସମସ୍ତ ଐତିହାସିକ ସ୍ଥଳରେ ନିଶୁଳ୍କ ପ୍ରବେଶ ଅନୁମତି ଦିଆଯାଇଛି ।

Share