Categories: ଜାତୀୟ

୬୪% ଭାରତୀୟଙ୍କୁ ଦୈନିକ ୩ରୁ ଅଧିକ ସ୍ପାମ୍‌ କଲ୍‌

ନୂଆଦିଲ୍ଲୀ,୧୮।୫: ଭାରତୀୟମାନେ ସର୍ବାଧିକ ବିରକ୍ତିକର ଫୋନ୍‌ କଲ୍‌ ପାଉଛନ୍ତି। କେହି ଫୋନ୍‌ ଯୋଗେ ସୁବିଧାରେ ଋଣ ନେବା କିମ୍ବା ସମ୍ପତ୍ତି ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲସର୍କଲ୍ସ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ପ୍ରାୟ ୬୪ ପ୍ରତିଶତ ଭାରତୀୟ ଦୈନିକ ୩ କିମ୍ବା ତଦୂର୍ଦ୍ଧ୍ୱ ଏଭଳି ସ୍ପାମ୍‌ ଫୋନ୍‌ କଲ୍‌ ପାଉଛନ୍ତି। ବ୍ୟାଙ୍କ, ବୀମା ଦଲାଲ, କାର୍‌ ଡିଲର, ସ୍ପା ସର୍ଭିସ, ଜମିଜମା କାରବାର କରୁଥିବା ଏଜେଣ୍ଟଗୁଡ଼ିକ ସ୍ପାମ୍‌ ଏସ୍‌ଏମ୍‌ଏସ୍‌ ପଠାଇଥାନ୍ତି। ଏପରିକି ବିଭିନ୍ନ ଆୟ ସୁଯୋଗ ନେବା ଲାଗି ମଧ୍ୟ ସ୍ପାମ୍‌ ମେସେଜ ପଠାଯାଇ ଲୋକଙ୍କୁ ବିରକ୍ତ କରାଯାଉଛି। ସ୍ବାସ୍ଥ୍ୟସେବା କିମ୍ବା ପାଥୋଲୋଜି ସେବା ନେବା ଲାଗି କଲ୍‌ ଆସୁଥିବା ୮% ଭାରତୀୟ ଅଭିଯୋଗ କରିଥିବାବେଳେ ନିଯୁକ୍ତି/ରୋଜଗାର ଅଫର ସମ୍ପର୍କରେ ୩ ପ୍ରତିଶତ କହିଛନ୍ତି। ସେହିପରି ସ୍ପା, ବିୟୁଟି ପାର୍ଲର ଇତ୍ୟାଦିରେ ଚାକିରି ଦେବା ପାଇଁ କଲ୍‌ ଆସୁଥିବା ୧ ପ୍ରତିଶତ କହିଛନ୍ତି। ୩%ଙ୍କ କହିବା ଅନୁଯାୟୀ ମୋବାଇଲ ନମ୍ବର, ଅଧିକ ଟକ୍‌ଟାଇମ/ଡାଟା ପ୍ଲାନ୍‌ ଦେବା ନେଇ ମଧ୍ୟ ଏସ୍‌ଏମ୍‌ଏସ୍‌ ଆସିଥାଏ। ସର୍ବାଧିକ ୫୧ ପ୍ରତିଶତଙ୍କ ପାଖକୁ ଆର୍ଥତ୍କ ସେବା ବିକ୍ରି ଏବଂ ୨୯ ପ୍ରତିଶତଙ୍କ ନିକଟକୁ ରିଅଲ ଇଷ୍ଟେଟ୍‌ ବିକ୍ରି ଲାଗି ଫୋନ୍‌ କଲ୍‌ ଆସିଥାଏ ବୋଲି ସର୍ଭେରେ କୁହାଯାଇଛି। ନାଗରିକଙ୍କ ପାଖକୁ ଅବାଞ୍ଛିତ ବିରକ୍ତିକର ଫୋନ୍‌ କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ୨୦୨୧ ଜୁଲାଇରେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଏଭଳି କଲ୍‌ ଓ ଏସ୍‌ଏମ୍‌ଏସ୍‌ ସଂଖ୍ୟା ବଢ଼ିଚାଲିଛି। ଗତ ୯ ମାସ ମଧ୍ୟରେ ଲୋକାଲସର୍କଲ୍ସ ଏନେଇ ବହୁସଂଖ୍ୟାରେ ଅଭିଯୋଗ ପାଇଥିବା କହିଛି। ଭାରତରେ ପ୍ରତି ଫୋନ୍‌ ଉପଭୋକ୍ତା ମାସକୁ ହାରାହାରି ୧୭ ସ୍ପାମ୍‌ କଲ୍‌ ପାଇଥାନ୍ତି, ଯାହା ବିଶ୍ୱରେ ସର୍ବାଧିକ ବୋଲି ଟ୍ୟୁକଲର ନାମକ ଏକ କଲର ଆଇଡି ଆପ୍‌ ପକ୍ଷରୁ କୁହାଯାଇଛି। ଲୋକାଲସର୍କଲ୍ସ ୩୭୭ ଜିଲାର ୩୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସର୍ଭେ କରିଥିଲା। ଏପରିକି ଡୁ ନଟ୍‌ ଡିଷ୍ଟର୍ବ ତାଲିକାରେ ପଞ୍ଜୀକୃତ କରି ମଧ୍ୟ ୯୫ ପ୍ରତିଶତ ମୋବାଇଲ ଉପଭୋକ୍ତା ଅବାଞ୍ଛିତ ଫୋନ୍‌ କଲ୍‌ ପାଉଥିବା କହିଛନ୍ତି।

Share