ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପରେ ଅତିକମରେ ୩୦୪ଜଣଙ୍କ ମୃତ୍ୟୁ ହେବା ସହ ୧୮୦୦ରୁ ଅଧିକ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ଏରିୟଲ ହେନେରୀ କହିଛନ୍ତି, ଶନିବାର ହୋଇଥିବା ଭୂକମ୍ପରେ ବହୁ ପରିମାଣର କ୍ଷତି ହୋଇଛି । ଏଥିପାଇଁ ସେ ଏକ ମାସ ଲାଗି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ଆମେରିକା ଭୁଗର୍ଭ ସର୍ବେକ୍ଷଣ ବିଭାଗର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର୍‌ସ୍ଥଳ ଉତ୍ତର ପୂର୍ବରୁ ୧୨ କିଲୋମିଟର ଦୂର ସନ୍ତ ଲୁଇସ ଦୁ ସୁଡରେ ଥିଲା । ହାଇଥିର ନାଗରିକ ସୁରକ୍ଷା ନିର୍ଦ୍ଦେଣଶକ କହିଛନ୍ତି ଭୂକମ୍ପରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମିଳିଥିବା କିଛି ସୂଚନା ଅନୁଯାୟୀ, ଭୂକମ୍ପ ପରେ ସମୁଦ୍ର ପାଣି ହାଇତି ଭିତରକୁ ମାଡି ଆସିବା ସହ ସୁନାମୀ ସତର୍କତା ଜାରି କରାଯାଇଥିବା କୁହାଯାଉଛି । ଏହାର କିଛି ଭିଡିଓ ଏବେ ଭାଇରାଲ ହେଉଛି ।

Share