ଡକସୁରୀ ଝଡ଼ରେ ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ବେଜିଂ,୧।୮ : ଉତ୍ତର ଚାଇନାର କେତେକ ସ୍ଥାନରେ ଭୟଙ୍କର ଡକସୁରୀ ଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ ବନ୍ୟାରେ ଖେଳନା ପରି ବହୁ ଭାରୀ ଯାନ ମଧ୍ୟ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଝଡ଼ରେ ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବେଜିଂର ପୂର୍ବ ଭାଗରେ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଛି।

ବେଜିଂର ସୁରକ୍ଷିତ ସ୍ଥାନକୁ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚାଇନା ପାଣିପାଗ ବିଭାଗ ଅନେକ ପ୍ରଦେଶରେ ବର୍ଷା ସମ୍ପର୍କରେ ସତର୍କ ସୂଚନା ଜାରି କରିଛି। ବନ୍ୟା ପରିସ୍ଥିତି ମଧ୍ୟରେ ଘରେ ରହିବାକୁ ଲୋକଙ୍କୁ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବନ୍ୟା ଯୋଗୁଁ ବସ ସେବା ମଧ୍ୟ ସ୍ଥଗିତ ରହିଛି। ଏହି ଘୂର୍ଣ୍ଣିବଳୟ ବହୁ ଯାନବାହାନ ଭାସି ଯାଇଛି। ବହୁ ମେଟ୍ରୋ ଷ୍ଟେଶନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବେଜିଂର ପଶ୍ଚିମ ମେଣ୍ଟୁଗୋ ଜିଲାର ଏକ ଭାଇରାଲ ଭିଡିଓରେ ଅନେକ କାର୍‌ ବନ୍ୟା ଜଳ ଦ୍ୱାରା ଭାସି ଯାଉଥିବାର ଦେଖିବାକୁ ମିଳିଛି।

କ୍ୟାପିଟାଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ ରବିବାର ଦିନ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୫୨ ଟି ବିମାନ ବାତିଲ କରାଯାଇଛି। ରାତି ୧୦ ଟା ସୁଦ୍ଧା ତିୟାନଜିନ ବିମାନବନ୍ଦର ୪୨ ବିମାନକୁ ବାତିଲ କରିଦେଇଛି। ଏଥି ସହିତ ବେଜିଂ ଏବଂ ଗୁଆଙ୍ଗଜୋ ମଧ୍ୟରେ ଚାଲୁଥିବା ଟ୍ରେନ କିଛି ସମୟ ବିଳମ୍ବ ହୋଇଥିଲା।

ଫୁଜିଆନ ପ୍ରଦେଶରେ ୬,୩୩୩ ହେକ୍ଟରରୁ ଅଧିକ କୃଷି ଜମି ପ୍ରଭାବିତ ହୋଇଛି । ଏଥିସହ ୧୫୧ ହେକ୍ଟରରୁ ଅଧିକ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମୋଟ ୪୪ ଟି ଘର ଭୁଶୁଡି ପଡିଛି ଏବଂ ୧୭୮ ଟି ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ମୋଟ ୪୨୮ ନିୟୁତ ୟୁଆନର ଆର୍ଥିକ କ୍ଷତି ହୋଇଛି।

Share