Categories: ବାଣିଜ୍ୟ

୨୦୨୨-୨୩ରେ ୮ଲକ୍ଷରୁ ଅଧିକ ଇଭି ବିକ୍ରି

ନୂଆଦିଲ୍ଲୀ,୧୧।୪: ଗତ କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍‌ ଭେହିକିଲ(ଇଭି)ର ବିକ୍ରି ଓ ଚାହିଦା ବୃଦ୍ଧି ପାଇଛି। ବିଶେଷ କରି ଇଭି ବଜାରର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି। କାରଣ ଇଭିର ଚାହିଦା ବିଶେଷ କରି ତୈଳ ଦର ବୃଦ୍ଧି ଓ ପରିବେଶ ପ୍ରଦୂଷଣ ଏବଂ ସରକାରୀ ସହାୟତା ଯୋଗ ବଢ଼ିଛି। ଏପରିକି ୨୦୨୨-୨୩ରେ ୮ଲକ୍ଷରୁ ଅଧିକ ଇଭି ବିକ୍ରି କରାଯାଇଛି। ଏହାରି ମଧ୍ୟରେ ୨ ଚକିଆ ଇଭି ଯାନର ବିକ୍ରି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ପ୍ରାୟ ୨.୫ ଗୁଣା ବଢ଼ିଥିବା ଇଲେକ୍ଟ୍ରିକ୍‌ ଯାନ ନିର୍ମାତାଙ୍କ ସଙ୍ଗଠନ ସୋସାଇଟି ଅଫ୍‌ ମ୍ୟାନୁଫ୍ୟାକଚରିଂ ଅଫ୍‌ ଇଲେକ୍ଟ୍ରିକ୍‌ ଭେହିକିଲ୍‌ (ଏସ୍‌ଏମ୍‌ଇଭି) ପକ୍ଷରୁ କୁହାଯାଇଛି। ଏ ନେଇ ସୋମବାର ଇଲେକ୍ଟ୍ରିକ୍‌ ଯାନ ନିର୍ମାତାଙ୍କ ସଙ୍ଗଠନ ସୋସାଇଟି ଅଫ୍‌ ମ୍ୟାନୁଫ୍ୟାକଚରିଂ ଅଫ୍‌ ଇଲେକ୍ଟ୍ରିକ୍‌ ଭେଇକିଲ୍‌ (ଏସ୍‌ଏମ୍‌ଇଭି)ର ରିପୋର୍ଟ ପ୍ରକାଶ କରାଯାଇଛି। ଉକ୍ତ ରିପୋର୍ଟ ଅନୁସାରେ ଦେଶର ଦୁଇଚକିଆ ଇଭି ଯାନର ବିକ୍ରି ପ୍ରାୟ ୨.୫ ଗୁଣା ଅଧିକ ହୋଇଥିବା ନେଇ ରିର୍ପୋଟରେ ଉଲ୍ଲେଖ କରାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ଦୁଇଚକିଆ ଇଭି ଯାନ ବିକ୍ରି ବୃଦ୍ଧି ଘଟି ୮,୪୬,୯୭୬ ୟୁନିଟରେ ପହଞ୍ଚିଛ। ସେହିଭଳି ୨୦୨୨-୨୩ରେ ଇଭି ବିକ୍ରି ୨୦୨୧-୨୨ ତୁଳନାରେ ୨.୫ ଗୁଣାରୁ ଅଧିକ ହୋଇଛି। ଏପରିକି ୨୦୨୧-୨୨ରେ ଦେଶରେ ୩,୨୭,୯୦୦ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ଯାନ ବିକ୍ରି ହୋଇଥିଲା। ଅପରପକ୍ଷରେ ଏସଏମଇଭି କହିଛି, ଗତ ବର୍ଷକ ମଧ୍ୟରେ ୨୫କିମି ବେଗର ୧.୨ ଲକ୍ଷ ଇ-ସ୍କୁଟର ବିକ୍ରି ହୋଇଥିଲା ବେଳେ ୨୫ କିଲୋମିଟରରୁ ଅଧିକ ବେଗର ୭,୨୬,୯୭୬ ୟୁନିଟ୍‌ ବିକ୍ରି ହୋଇଛି। ତେବେ ଦ୍ରୁତ ବୃଦ୍ଧି ପରେ ବି ଇଭି ଦୁଇଚକିଆ ଯାନ ବିକ୍ରି ନୀତି ଆୟୋଗଙ୍କ ଲକ୍ଷ୍ୟଠାରୁ ୨୫% ପଛରେ ରହିଥିବା ଜଣାପଡିଛି।

Share