୨୧ ଦିନରେ ଯୁଦ୍ଧ: ୮୫୦୦ରୁ ଅଧିକ ହରାଇଲେଣି ପ୍ରାଣ, ଜାଣନ୍ତୁ ଏ ପର୍ଯ୍ୟନ୍ତ ଘଟିଥିବା ପୂରା ଘଟଣା ସମ୍ପର୍କରେ…

ଜେରୁଜେଲମ୍‌,୨୭ା୧୦: ହମାସ୍‌-ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଇତିମଧ୍ୟରେ ୨୧ ଦିନରେ ପହଞ୍ଚିଛି। ତଥାପି ଏହା ବନ୍ଦ ହେବାର ନାଁ ନେଉନି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧ ଯୋଗୁ ଉଭୟ ପକ୍ଷଙ୍କ ୮୫୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଅକ୍ଟୋବର ୭ରେ ହମାସ୍‌ ଆକ୍ରମଣ ପରଠାରୁ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଉପରେ ଏହାର ଆକ୍ରମଣକୁ ଜୋର୍‌ଦାର କରିଛନ୍ତି। ଇସ୍ରାଏଲରୁ କ୍ରମାଗତ ଭାବେ ଏୟାରଷ୍ଟ୍ରାଇକ୍‌ କରାଯାଉଛି।

ଗାଜାର ସବୁ ସ୍ଥାନରେ ରକ୍ତାକ୍ତ ଦୃଶ୍ୟ ଦେଖିବାକୁ ମିଳୁଛି। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସହିତ କାନ୍ଦୁଥିବା ଦେଖାଯାଏ। ଲୋକଙ୍କୁ ଖାଦ୍ୟ ଏବଂ ପାନୀୟ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡୁଛି।

ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ଇସ୍ରାଏଲର ଗାଜା ଉପରେ ତିନି ସପ୍ତାହ ତଳେ ପ୍ରାୟ ୨,୯୧୩ ପିଲାଙ୍କ ସମେତ ୭,୦୨୮ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ହମାସ୍‌ ଆକ୍ରମଣରେ ଏପର୍ଯ୍ୟନ୍ତ ୧୪୦୦ ଇସ୍ରାଏଲ ମୃତ୍ୟୁବରଣ କରିଛନ୍ତି। ଅକ୍ଟୋବର ୭ରେ ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଦ୍ୱାରା ବନ୍ଧକ ହୋଇଥିବା ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାରୁ ପ୍ରକାଶ। ଗତ ଗୁରୁବାର ମଧ୍ୟ ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ମାଧ୍ୟମରେ ୨୫୦ରୁ ଅଧିକ ଟାର୍ଗେଟ କରିଥିଲା। ଏହି କ୍ଷେପଣାସ୍ତ୍ର ଇସ୍ରାଏଲ ସୀମା ନିକଟ ଇଜିପ୍ଟର ଲୋହିତ ସାଗର ରିସର୍ଟ ଟାବା ସହରର ଏକ ଡାକ୍ତରଖାନା ଉପରେ ମାଡ଼ ହେବାରୁ ୬ଜଣଙ୍କର ମୃତ୍ୟୁ ଘଟିଛି।

ଅଦ୍ୟାବଧି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅନେକ ଥର ଗ୍ରାଉଣ୍ଡ ଆଟାକ୍‌ ବିଷୟରେ ସୂଚନା ଦେଇଛନ୍ତି, କିନ୍ତୁ ଆମେରିକାର ଆଦେଶ ଅନୁଯାୟୀ ଗ୍ରାଉଣ୍ଡ ଆକ୍ରମଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ୫ ହମାସ୍‌ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ସେନା ଦାବି କରିଛି ଯେ, ହମାସ୍‌ର ତିନିଜଣ ବରିଷ୍ଠ କମାଣ୍ଡୋଙ୍କୁ ହତ୍ୟା କରିଛି। ଆଇଡିଏଫ୍‌ ଯୁଦ୍ଧ ବିମାନ ଦାରାଜ ତୁଫା ବାଟାଲିୟନରେ ହମାସ୍‌ କମାଣ୍ଡରଙ୍କୁ ହତ୍ୟା କରିଥିବା କହିଛି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଏହି ଲୋକମାନେ ସମ୍ପୃକ୍ତ ଥିବା ମଧ୍ୟ କୁହାଯାଇଛି।

Share