ବଳି ପଡ଼ିଲେଣି ୯ ହଜାରରୁ ଊର୍ଦ୍ଧ୍ୱ

କିଭ୍‌/ଜାତିସଂଘ,୯।୭: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୫୦୦ ଦିନ ପୂରିଯାଇଛି। ଦୀର୍ଘ ଦିନ ଧରି ରୁଷିଆ ସେନାର କଡ଼ା ମୁକାବିଲା କରୁଥିବା ୟୁକ୍ରେନୀୟ ସେନା ଯବାନଙ୍କୁ କୃଷ୍ଣ ସାଗର ଦ୍ୱୀପରୁ ଏକ ଭିଡିଓ ଜାରି କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଖୁବ୍‌ ପ୍ରଶଂସା କରିଛନ୍ତି। ଯବାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ସ୍ନେକ୍‌ ଆଇଲାଣ୍ଡ ବିଜୟର ସ୍ଥାନ ଯାହାକୁ କେବେହେଲେ ବିଜୟ ପ୍ରାପ୍ତ କରାଯାଇ ପାରିବ ନାହିଁ। ଏଠାରେ ଥିବା ଯବାନଙ୍କୁ ରୁଷିଆ ସେନା ପ୍ରଥମେ ଆତ୍ମସମର୍ପଣ କରିବାକୁ କହିଥିବାବେଳେ ସେନା ମୁଣ୍ଡ ନୁଆଇଁ ନ ଥିଲା। ରୁଷିଆର ଜବରଦଖଲ ପରେ ମଧ୍ୟ ୟୁକ୍ରେନ୍‌ ଏବେ ନିଜ ଭୂଖଣ୍ଡକୁ ପୁନଃ ଦଖଲ କରିବାରେ ସଫଳ ହୋଇଛି, ଯାହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଏହି ଲଢ଼େଇରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଜେଲେନ୍‌ସ୍କି ଧନ୍ୟବାଦ ଜଣାଇଛନ୍ତି। ଯୁଦ୍ଧରେ ୟୁକ୍ରେନର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି। ଜେଲେନ୍‌ସ୍କି ଏବେ ତୁର୍କୀଗସ୍ତରେ ଥିବାବେଳେ ଭିଡିଓ ବାର୍ତ୍ତାକୁ କେତେବେଳେ ରେକର୍ଡ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ୨୦୨୨ ଫେବୃୟାରୀ ୨୪ରେ ରୁଷୀୟ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲେ। ୟୁକ୍ରେନ୍‌ର ସବୁଠୁ ବଡ଼ ବନ୍ଦର ଓଡେସା ଏବଂ ନୌସେନା ହେଡ୍‌ କ୍ୱାର୍ଟର୍ସକୁ କବଜା କରିବା ରୁଷିଆର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଦିନରେ ପହଞ୍ଚତ୍ଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ହେଉ ନ ଥିବାବେଳେ ଅଦ୍ୟାବଧି ୫୦୦ ଶିଶୁଙ୍କ ସମେତ ୯,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ରେ ଥିବା ଜାତିସଂଘର ମାନବାଧିକାର ମନିଟରିଂ ମିଶନ୍‌ (ଏଚ୍‌ଆର୍‌ଏମ୍‌ଏମ୍‌ୟୁ) ପକ୍ଷରୁ ଶୁକ୍ରବାର କୁହାଯାଇଛି। ଯୁଦ୍ଧରେ ଗତବର୍ଷ ତୁଳନାରେ ଚଳିତ ବର୍ଷ କମ୍‌ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ଏଚ୍‌ଆର୍‌ଏମ୍‌ଏମ୍‌ୟୁର ଉପମୁଖ୍ୟ କନୋଏଲ କାଲହୋନ୍‌ କହିଛନ୍ତି। ଶନିବାର ରୁଷିଆ ମିଶାଇଲ ମାଡ଼ରେ ୟୁକ୍ରେନ ଲୀମନରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନୀୟ ଅନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବାଞ୍ଚଳ ହୋନେସ୍କର ଗଭର୍ନର ପାଭଲୋ କିରିଲେଙ୍କୋ ରୁଷିଆ ମିଶାଇଲରେ କ୍ଷତିଗ୍ରସ୍ତ ଅଞ୍ଚଳର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ମୃତ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶରୀରର ଅଙ୍ଗ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।
ୟୁକ୍ରେନ୍‌ରେ ଯୁଦ୍ଧ ସ୍ଥିତିକୁ ଦେଖିଲେ, ଉତ୍ତର-ଦକ୍ଷିଣାଞ୍ଚଳ ବଖମଟ ଓ ଡୋନେସ୍କ ଅଞ୍ଚଳର କିଛି ଭାଗକୁ ୟୁକ୍ରେନୀୟ ସେନା ଧୀରେ ଧୀରେ କବଜା କରିବା ଆରମ୍ଭ କରିଛନ୍ତି। ଯୁଦ୍ଧ ଭିତରେ ରୁଷିଆ ଅଧୀନରେ ଥିବା ଜାପୋରଝିଆ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟକୁ ଉଦ୍ଦେଶ୍ୟମୂଳକ ଭାବେ ନଷ୍ଟ କରିବାକୁ ଚାହୁଁଥିବା ରୁଷିଆ ଓ ୟୁକ୍ରେନ୍‌ ପରସ୍ପରକୁ ଦୋଷୀ କରିବାରେ ଲାଗିଛନ୍ତି। ଅନ୍ୟପକ୍ଷେ ଶନିବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଶୋଇଗୁ ଫାୟାରିଂ ରେଞ୍ଜ ପରିଦର୍ଶନ କରିଛନ୍ତି। ନାଟୋ ସମିଟ୍‌ ଆଲୋଚନାବେଳେ ଆମେରିକା ୟୁକ୍ରେନ୍‌କୁ ଯୁଦ୍ଧ ମୁକାବିଲା ପାଇଁ କ୍ଲଷ୍ଟର ମ୍ୟୁନିଶନ୍ସ ହତିଆର ଯୋଗାଇବା ନେଇ ଘୋଷଣା କରିଛି। ଏ ନେଇ ୟୁକ୍ରେନ ବହିର୍ବ୍ୟାପାର ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଆମେରିକାକୁ ପ୍ରଶଂସା କରିବା ସହ ଏହି ଯୁଦ୍ଧାସ୍ତ୍ରକୁ ଗ୍ରାମାଞ୍ଚଳରେ ବ୍ୟବହାର କରାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷେ କ୍ଲଷ୍ଟର ମ୍ୟୁନିଶନ୍ସର ପ୍ରଭାବ ମସ୍କୋ ଉପରେ ପଡ଼ିବ ନାହିଁ ବୋଲି ରୁଷିଆ ପକ୍ଷରୁ କୁହାଯାଇଛି।

Share