ଭୋକରେ ରହିବେ କୋଟିଏରୁ ଅଧିକ ଆଫଗାନୀ ଶିଶୁ…

ଜେନେଭା,୨୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଯୋଗୁଁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜାତିସଂଘର ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ମାନବୀୟ ସଙ୍କଟ ଯୋଗୁ ୧ କୋଟିରୁ ଅଧିକ ଆଫଗାନୀ ଶିଶୁ ଭୋକରେ ରହିବାର ଆଶଙ୍କା ରହିଛି। ରିପୋର୍ଟରେ ଆଫଗାନିସ୍ତାନ ଶିଶୁଙ୍କ ଅନାହାର ଏବଂ ବିଭିନ୍ନ ରୋଗ ବିପଦ ସମ୍ପର୍କରେ ଚେତାବନୀ ପ୍ରଦାନ କରାଯାଇଛି। ମିଳିତ ଜାତିସଂଘର ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଆଫଗାନିସ୍ତାନରେ ୨୦୦ ନିୟୁତ ଡଲାର ଖର୍ଚ୍ଚ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ବର୍ଷ ବର୍ଷ ଧରି ହିଂସାତ୍ମକ ବିବାଦ, ରାଜନୈତିକ ଅସ୍ଥିରତା, ମରୁଡ଼ି, ଅର୍ଥନୈତିକ ସଙ୍କଟ ତଥା କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଆଫଗାନିସ୍ତାନ ଲୋକଙ୍କ ପାଇଁ ସାହାଯ୍ୟର ଆବଶ୍ୟକତା ରହିଥିବା ୟୁଏନ୍‌ଏଚ୍‌ସିଆର୍‌ ପକ୍ଷରୁ କୁହାଯାଇଛି। ଶରଣାର୍ଥୀ ସଙ୍କଟ ଉପରେ କାର୍ଯ୍ୟ କରୁଥିବା ଜାତିସଂଘର ସଂସ୍ଥା ଶରଣାର୍ଥୀ ଉଚ୍ଚାୟୁକ୍ତ(ୟୁଏନ୍‌ଏଚ୍‌ସିଆର୍‌) ପକ୍ଷରୁ ଆଫଗାନିସ୍ତାନର ପଡୋଶୀ ଦେଶମାନଙ୍କୁ ମାନବିକତା ଆଧାରରେ ସୀମା ଖୋଲା ରଖିବାକୁ, ଲୋକଙ୍କୁ ଆଶ୍ରୟ ଦେବା, ସେମାନଙ୍କୁ ମାନବିକ ସହାୟତା, ଚିକିତ୍ସା, ଖାଦ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ରହିବା ସୁବିଧା ପାଇଁ ନିବେଦନ କରାଯାଇଛି। ଶରଣାର୍ଥୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଶିଶୁ ଏବଂ ମହିଳା ରହିଛନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ସେମାନଙ୍କ ଉପରେ ଧ୍ୟାନ ଦେବା ପାଇଁ ୟୁଏନ୍‌ଏଚ୍‌ସିଆର୍‌ ପକ୍ଷରୁ ବିଶ୍ୱର ସମସ୍ତ ଦେଶଙ୍କୁ ମାନବିକ ସହାୟତା ଲାଗି ଆଗେଇ ଆସିବାକୁ ନିବେଦନ କରାଯାଇଛି।

Share