ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଆଶଙ୍କା…

ଓଟଓ୍ବା,୧୦।୭: କାନାଡ଼ାରେ ଦେଖାଦେଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଘଟିଥିବା ପରିବେଶବିଜ୍ଞାନୀ ଆଶଙ୍କା କରିଛନ୍ତି। ପଶ୍ଚିମ କାନାଡ଼ା ଏବଂ ଉତ୍ତର-ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳରେ ତାପମାତ୍ରା ଲଗାତାର ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ରହୁଛି। ଏହି ସମୟରେ ପ୍ରବଳ ତାତି ସହିତ ଗ୍ରୀଷ୍ମ ପ୍ରବାହ ଜାରି ରହିବାରୁ ଜଳଜୀବ ଏବଂ ଇକୋସିଟେମ୍‌ ଉପରେ ନକାରାତ୍ମକ ପ୍ରଭାବ ପଡିଥିବା ପରିବେଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରିଟିଶ୍‌ କଲମ୍ବିଆରେ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ବ୍ରିଟିଶ୍‌ କଲମ୍ବିଆ ବିଶ୍ୱବିଦ୍ୟାଳୟ ମେରାଇନ୍‌ ବାୟୋଲୋଜିର ପ୍ରଫେସର ଖ୍ରୀଷ୍ଟୋଫର ହାର୍ଲେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଓ୍ବେନକୁଓ୍ବର ସମୁଦ୍ର କୂଳରେ ପଡ଼ିଥିବା ସାମୁଦ୍ରିକ ଜୀବଙ୍କ ଦେହାବଶେଷ ଗ୍ରୀଷ୍ମ ପ୍ରବାହର ତାଣ୍ଡବକୁ ସୂଚିତ କରୁଛି। ଏସବୁ ଜଳଜୀବ ୩୦ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ
କରି ପାରି ନ ଥାନ୍ତି। ତେବେ ଏହାଠାରୁ ଅଧିକ ତାପମତ୍ରାରେ ସେମାନଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ। ଆସନ୍ତା ସପ୍ତାହରେ ପୁଣି ଗ୍ରୀଷ୍ମପ୍ରବାହ ଅନୁଭୁତ ହେବାର ଆଶଙ୍କା ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ହେଲେ ସ୍ଥିତି ପୁଣି ଭୟଙ୍କର ହେବ ବୋଲି ହାର୍ଲେ କହିଛନ୍ତି।

Share