ବର୍ଷକୁ ପାଣିରେ ପଡ଼ୁଛି ଅଧକୋଟି

ଭଦ୍ରକ ଅଫିସ,୩ା୩: ପ୍ରତିବର୍ଷ ଧାନକିଣାରେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ୁଛି। ଗୋଦାମ ଥାଇ ମଧ୍ୟ ପାଲ କିଣାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଧାନ ସଂଗ୍ରହ ଆରମ୍ଭ ହେବା ମାତ୍ରେ ଆର୍‌ଏମ୍‌ସି (ନିୟନ୍ତ୍ରିତ ବଜାର କମିଟି) ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମଣ୍ଡି ପ୍ରତି ୨ଟି ପାଲ ଯୋଗାଇ ଦିଆଯାଉଛି। ଅଦିନିଆ ବର୍ଷା ପାଇଁ କିଛି ପାଲ ମଧ୍ୟ ଆରଏମସି ଗଚ୍ଛିତ ରଖୁଛି। ଖରିଫ ଧାନ ସଂଗ୍ରହରେ ମାତ୍ର ୩ ମାସ ପାଇଁ ପାଲ, ଛତା, ଚେୟାର, ପାଣି ଫିଲଟର ଏବଂ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ରେଷ୍ଟ ସେଡ୍‌ ନିର୍ମାଣରେ ବାର୍ଷିକ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଧାନ କିଣା ସରିବା ପରେ ମଣ୍ଡିଗୁଡ଼ିକ ଆର୍‌ଏମ୍‌ସିକୁ ଏହି ପାଲ ଫେରସ୍ତ ଦେଉ ନ ଥିବାରୁ ପ୍ରତିବର୍ଷ କିଣାଯାଉଛି। ଗତ ୫ ବର୍ଷ ମଧ୍ୟରେ ଭଦ୍ରକ ଆର୍‌ଏମ୍‌ସି ଏହି ବାବଦକୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଧାନ କିଣା ସରିବା ପରେ ଏହି ଅର୍ଥ ପାଣିରେ ପଡ଼ୁଛି। ମଣ୍ଡି ଭିତ୍ତିଭୂମି ବିକାଶରେ ଆର୍‌ଏମ୍‌ସି ବାର୍ଷିକ ପ୍ରାୟ ଅଧ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ମଣ୍ଡିରେ ଖୋଲାମେଲାରେ ଚାଷୀଙ୍କ ଧାନ ପଡ଼ି ରହୁଥିବା ବେଳେ ଚାଷୀ ଧାନବସ୍ତା ଉପରେ ଶୋଇ ରାତି କାଟୁଛନ୍ତି। ଜିଲାରେ ୧୫୨ଟି ମଣ୍ଡି ଥିବା ବେଳେ ଅଧିକାଂଶ ମଣ୍ଡିରେ ପାଣି, ପାଇଖାନାର ସୁବିଧା ନାହିଁ। ଚେୟାର ଯୋଗାଇ ଦିଆଯାଇଥିଲେ ମଧ୍ୟ ମଣ୍ଡିରେ ଚାଷୀଙ୍କୁୁ ଛିଡ଼ା ହେବାକୁ ପଡୁଛି। ଚଳିତ ବର୍ଷ ଭଦ୍ରକ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିକୁ ପାଲ ଯୋଗାଇ ଦେବାକୁ ୧୫*୧୨ ସାଇଜର ପାଲ ପିଛା ୧୦ ହଜାର ୬୨୦ ଟଙ୍କା ଦରରେ ୪ଶହ ପାଲ କିଣା ବାବଦକୁ ୪୨ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ମଣ୍ଡିରେ ଚାଷୀଙ୍କ ପାଇଁ ରେଷ୍ଟ ସେଡ୍‌ ନିର୍ମାଣରେ ମଣ୍ଡି ପିଛା ୩ ହଜାର ଟଙ୍କା ଖର୍ଚ୍ଚ ଅଟକଳ ସତ୍ତ୍ୱେ ୨ ଶହ ଛତା କିଣାରେ ପ୍ରାୟ ୨ ଲକ୍ଷ ୫୦ ହଜାର ଏବଂ ୧ ହଜାର ପ୍ଲାଷ୍ଟିକ ଚେୟାର କିଣାରେ ୪ ଲକ୍ଷ ୨୬ ହଜାର ଏହିପରି ପ୍ରାୟ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହାକି ଧାନ ସଂଗ୍ରହ ପରେ ମୂଲ୍ୟହୀନ ସାବ୍ୟସ୍ତ ହେଉଛି। ଧାନ ସଂଗ୍ରହ ପରେ କୌଣସି ମଣ୍ଡି ଆର୍‌ଏମ୍‌ସିକୁ ଫେରସ୍ତ ଦେଉନାହାନ୍ତି। ଅପରପକ୍ଷେ ଆର୍‌ଏମ୍‌ସି ଏନେଇ କୌଣସି ମଣ୍ଡିକୁୁ କୈଫୟତ ତଲବ ମଧ୍ୟ କରୁନାହାନ୍ତି। ଧାନ ସଂଗ୍ରହ ପାଇଁ ଯୋଗାଣ ନିଗମ ସହ ଚୁକ୍ତିନାମା ସ୍ବାକ୍ଷର କଲା ବେଳେ ମଣ୍ଡିଗୁଡ଼ିକ ସେମାନଙ୍କ ପାଖରେ ନିଜସ୍ବ ଗୋଦାମ ଘର, ଚାଷୀଙ୍କ ପାଇଁ ପାଣି, ପାଇଖାନା ଏବଂ ରେଷ୍ଟ ସେଡ୍‌ ରହିଥିବା ଉଲ୍ଲେଖ କଲା ପରେ ସେମାନଙ୍କୁ ଧାନ ସଂଗ୍ରହରେ ସାମିଲ କରାଯାଇଥାଏ। ଯଦି ମଣ୍ଡିଗୁଡ଼ିକର ଚାଷୀଙ୍କ ଧାନ ରଖିବାକୁ ନିଜସ୍ବ ଖଳା ଏବଂ ଗୋଦାମ ଘର ରହିଛି ତେବେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ ପାଲ ଯୋଗାଇ ଦେବାରେ ଯଥାର୍ଥତା କ’ଣ ରହିଛି। ନିଜସ୍ବ ଗୋଦାମ ଘର ଥିବା ଦର୍ଶାଇ ଚୁକ୍ତିନାମା ସ୍ବାକ୍ଷର କରୁଥିବା ମଣ୍ଡିକୁୁ ଆର୍‌ଏମ୍‌ସି ପାଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେବା କେତେଦୂର ଯଥାର୍ଥ। ତେବେ ଧାନକିଣା ପରେ କେବଳ ଓଜନ ସମ୍ବନ୍ଧୀୟ ଉପକରଣ ଆରଏମ୍‌ସିକୁ ଫେରସ୍ତ ଆସୁଥିବା ବେଳେ ଅନ୍ୟାନ୍ୟ ସାମଗ୍ରୀ ଫେରସ୍ତ ହେଉନାହିଁ। ଏନେଇ ଆର୍‌ଏମ୍‌ସି ଆକାଉଣ୍ଟାଣ୍ଟ ରଣଜିତ ଲେଙ୍କା କୁହନ୍ତି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନିଷ୍ପତ୍ତି ଅନୁଯାୟୀ ଏହି ବ୍ୟବସ୍ଥା କରାଯାଉଛି। ପାଲଗୁଡ଼ିକ ବ୍ୟବହାର ପରେ ନଷ୍ଟ ହୋଇଯାଉଥିବା ମଣ୍ଡି ପକ୍ଷରୁ କୁହାଯାଉଛି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ କୋଟି କୋଟି ଟଙ୍କା ପାଣିରେ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Share