ନୂଆଦିଲ୍ଲୀ, ୨୫ା୧୧: ଦେଶରେ ଅଧିକାଂଶ ପିଲା ଏବଂ ମହିଳାଙ୍କ ଶରୀରରେ ରକ୍ତହୀନତା ସମସ୍ୟା ଚିନ୍ତାଜନକ ରହିଛି। ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ସର୍ବଭାରତୀୟ ସ୍ତରରେ ଅର୍ଦ୍ଧାଧିକ ଶିଶୁ ଏବଂ ମହିଳା ଆନେମିଆର ଶିକାର ହେଉଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୫)ରୁ ଜଣାପଡ଼ିଛି। ଏନ୍ଏଫ୍ଏଚ୍ଏସ୍-୪ ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି ଏଥିରେ ଦର୍ଶଯାଇଛି।
ପ୍ରଜନନ, ଶିଶୁଙ୍କ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ପୋଷଣ ଏବଂ ଅନ୍ୟ ମାନଦଣ୍ଡ ଆଧାରରେ ସରକାର ବୁଧବାର ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଭାରତର ୨୦୧୯-୨୧ର ଫ୍ୟାକ୍ଟଶିଟ୍ ଜାରି କରିଛନ୍ତି। ଏନ୍ଏଫ୍ଏଚ୍ଏସ୍-୫ର ଦ୍ୱିତୀୟ ପର୍ଯ୍ୟାୟରେ ଏହା ପ୍ରସ୍ତୁତ କରାଯାଇଛି। ଏହି ପର୍ଯ୍ୟାୟରେ ଅରୁଣାଚଳପ୍ରଦେଶ, ଚଣ୍ଡୀଗଡ଼, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ ଏନ୍ସିଟି, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ସାମିଲ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ୨୦୨୦ ଡିସେମ୍ବରରେ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏନ୍ଏଫ୍ଏଚ୍ଏସ୍-୫ର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ସଦ୍ୟ ରିପୋର୍ଟ ଅନୁସାରେ, କମ୍ ଓଜନ ବିଶିଷ୍ଟ ପିଲାଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିଛି। ସର୍ବଭାରତୀୟ ସ୍ତରରେ କମ୍ ଓଜନ ପିଲାଙ୍କ ପ୍ରତିଶତ ୩୬ରୁ ୩୨ ପ୍ରତିଶତ ହୋଇଛି। ତେବେ ପିଲା, ମହିଳା ତଥା ଗର୍ଭବତୀ ବ୍ୟାପକ ସଂଖ୍ୟାରେ ଆନେମିଆର ଶିକାର ହେଉଛନ୍ତି। ୧୮୦ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଗର୍ଭବତୀ ମହିଳାଙ୍କୁ ଆଇରନ୍ ଫଲିକ୍ ଏସିଡ୍ ଟାବଲେଟ୍ ପ୍ରଦାନ ଯୋଗୁ ସେମାନଙ୍କ ବ୍ଲଡ୍ କାଉଣ୍ଟରେ ସାମାନ୍ୟ ସୁଧାର ଆସିଛି। ଉକ୍ତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ପ୍ରଜନନ ହାର, ପ୍ରତି ମହିଳାଙ୍କ ପିଛା ହାରାହାରି ପିଲା ସଂଖ୍ୟା ୨.୨ରୁ ୨.୦କୁ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଭାରତରେ ଜନ୍ମ ହାର ହ୍ରାସ
ଭାରତରେ ମୋଟ ଜନ୍ମହାର (ଟିଏଫ୍ଆର୍) ତଥା ପ୍ରତି ମହିଳାଙ୍କ ହାରାହାରି ପିଲା ଜନ୍ମ ୨.୨ରୁ ୨କୁ ଖସିଛି। ଅର୍ଥାତ ଜଣେ ମହିଳା ତାଙ୍କ ଜୀବନକାଳ ମଧ୍ୟରେ ହାରାହାରି ୨ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ତେଣୁ ଦେଶରେ ଜନସଂଖ୍ୟା ବୃଦ୍ଧି ଏକପ୍ରକାର ସ୍ଥିର ରହିଛି। ତେବେ କଣ୍ଟ୍ରାସେପ୍ଟିଭ ପ୍ରିଭିଲାନ୍ସ ରେଟ୍(ସିପିଆର୍) ୫୪%ରୁ ୬୭%କୁ ବୃଦ୍ଧି ପାଇଛି ବୋଲି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ର ଦ୍ୱିତୀୟ ପର୍ଯ୍ୟାୟ ଡାଟାରୁ ଜଣାପଡ଼ିଛି। ଇନ୍ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍)ର ବହୁଳ ବ୍ୟବହାର ଯୋଗୁ ଅଧିକ ସଂଖ୍ୟାରେ ଯମଜ ସନ୍ତାନ ଜନ୍ମ ନେଉଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।