Categories: ଅନୁଗୋଳ

ଅଧାରୁ ଅଧିକ ପଦବୀ ଖାଲି

ଅନୁଗୋଳ ଅଫିସ,୨୦।୬: ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଅନୁଗୋଳ ଜିଲାକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ଜିଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ପଦବୀ ଫାଙ୍କା ପଡ଼ିଥିବାବେଳେ ଗତ ଶନିବାର ରାଜ୍ୟରେ କରାଯାଇଥିବା ଡାକ୍ତର ବଦଳିରେ ଅନୁଗୋଳ ଜିଲାରୁ ଜଣେ ଡାକ୍ତରଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଛି। ଫଳରେ ଜିଲାରେ ଡାକ୍ତର ଅଭାବ ସମସ୍ୟା ଅଧିକ ଉତ୍କଟ ହୋଇଥିବା ଆଲୋଚନା ହେଉଛି।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଚିଠି ନଂ. ୧୩୩୫୨/୧୮ା୬ା୨୦୨୨ରେ ୩୧ ଡାକ୍ତରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ଜିଲାରୁ ଜଣେ ଡାକ୍ତରଙ୍କୁ ବାରିପଦା ପଠାଯାଇଥିବାବେଳେ ଜିଲାରେ କୌଣସି ଡାକ୍ତରଙ୍କୁ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ବଦଳି ହୋଇଥିବା ଡାକ୍ତର ହେଲେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ନାରାୟଣ ବେହେରା। ତାଙ୍କୁ ପଦୋନ୍ନତି ଦିଆଯାଇ ବାରିପଦା ଜିଲା ଓ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସୂଚନାଯୋଗ୍ୟ, ଅନୁଗୋଳ ଜିଲାରେ ମୋଟ ୨୪୨ ଡାକ୍ତରଙ୍କ ପାଇଁ ମଞ୍ଜୁର ପଦବୀ ଥିବାବେଳେ ମାତ୍ର ୧୦୮ ଜଣ ଡାକ୍ତର କାର୍ଯ୍ୟ କରୁଥିଲେ। ସେଥିରୁ ଜଣଙ୍କୁ ବାରିପଦା ପଠାଯିବା ପରେ ଏହି ସଂଖ୍ୟା ଏବେ ୧୦୭ରେ ପହଞ୍ଚିଛି। ସେହିଭଳି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର। ତାଳଚେର ଉପଖଣ୍ଡ ମେଡିକାଲରେ ୧୮ ଜଣଙ୍କ ସ୍ଥାନରେ ମାତ୍ର ୧୧ ଜଣ ଅଛନ୍ତି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ୧୮ ମଞ୍ଜୁର ପଦବୀରୁ ଅଛନ୍ତି ମାତ୍ର ୮ ଜଣ। ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ୧୮ ପଦବୀରୁ ୧୩ ଜଣ ଡାକ୍ତର ଥିଲେ। ଏବେ ସେଠାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ବେହେରାଙ୍କ ବଦଳି ହେବା ପରେ ଡାକ୍ତର ସଂଖ୍ୟା ୧୨ରେ ପହଞ୍ଚିଛି। ତେବେ ଜିଲାରେ ଡାକ୍ତର ନିଯୁକ୍ତି ନେଇ କେବେ ସରକାର ପଦକ୍ଷେପ ନେବେ ତାହା ଚର୍ଚ୍ଚାର ବିଷୟ ହୋଇଛି।