Categories: ଜାତୀୟ

କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ, ୪୭ହଜାର ନେଇଛନ୍ତି ଅବସର

ନୂଆଦିଲ୍ଲୀ,୨।୮: କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର ବୁଧବାର ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିଆରପିଏଫ, ବିଏଏଫ ଏବଂ ଦିଲ୍ଲୀ ପୋଲିସ ଭଳି କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ୧,୧୪,୨୪୫ ପଦବୀ ଖାଲି ରହିଛି। ସେ ଆହୁରି କହିଛନ୍ତି, ୨୦୨୩ ମସିହାରେ ପ୍ରାୟ ୩୧,୮୭୯ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ଏବଂ ସେଥି ମଧ୍ୟରୁ ୧ହଜାର ୧୨୬ଟି ପଦବୀରେ ଭର୍ତ୍ତି ହୋଇଛି।

ସଂସଦରେ ସରକାର ରଖିଥିବା ତଥ୍ୟ ଅନୁଯାୟୀ, ଖାଲିଥିବା ପଦବୀ ମଧ୍ୟରୁ ୩ହଜାର ୭୫ ‘ଏ’ ଗ୍ରୁପ୍‌ର, ୧୫ହଜାର ୮୬୧ ବି ଗ୍ରୁପର ଏବଂ ୯୫ହଜାର ୩୦୯ଜଣ ସି ଗ୍ରୁପରଅଛନ୍ତି ବୋଲି କହିଛନ୍ତି। ସେଥିମଧ୍ୟରୁ ୧୬ହଜାର ୩୫୬ଟି ପୋଷ୍ଟ ଅନୁସୂଚିତ ଜାତି ପାଇଁ, ୮ହଜାର ୭୫୯ ଅନୁସୂଚିତ ଜନଜାତି, ୨୧ହଜାର ୯୭୪ ଅନ୍ୟ ପଛୁଆ ଶ୍ରେଣୀ, ୭,୩୯୪ ଆର୍ଥିକ ଦୁର୍ବଳ ବିଭାଗ ଏବଂ ୫୯ହଜାର ୭୬୨ଟି ସାଧାରଣ ବର୍ଗ ପାଇଁ ପଦବୀ ରହିଛି।

କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ (୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ) ୫୩ହଜାର ୩୩୬ଜଣ କେନ୍ଦ୍ରୀୟ ପୋଲିସ ଫୋର୍ସ କର୍ମଚାରୀ ଚାକିରି ଛାଡିଛନ୍ତି। ଏଥିରୁ ୪୭ହଜାର ଜଣ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି ଓ ୬୩୩୬ଜଣ ଯବାନ ନିଜ ଇସ୍ତଫା ଦେଇଛନ୍ତି। ସେଥିରୁ ୬୫୮ ଯବାନ ଆତ୍ମହତ୍ୟା କରିଛନ୍ତି।

Share