ନୂଆଦିଲ୍ଲୀ,୧୦।୧: ଗତ ୭ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜନ ଧନ ଯୋଜନା’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକରେ ବର୍ତ୍ତମାନ ୧.୫ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜମା ରାଶି ବ୍ୟାଙ୍କରେ ସଞ୍ଚୟ ହୋଇଥିବା ସୂଚନା ମିଳିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ଯୋଜନାରେ ୪୪.୨୩ କୋଟିରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍ଜେଡିଓ୍ବାଇ) ଆକାଉଣ୍ଟରେ ମୋଟ ୧,୫୦,୯୩୯.୩୬ କୋଟି ଟଙ୍କାର ଅର୍ଥ ରାଶି ଗଚ୍ଛିତ ରଖିଛନ୍ତି। ୨୦୧୪ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ସ୍ବାଧୀନତା ଦିବସ ଅଭିଭାଷଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଯୋଜନା ସମ୍ପର୍କରେ କହିଥିଲେ। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମୋଟ ୪୪.୨୩ କୋଟି ଆକାଉଣ୍ଟ ମଧ୍ୟରୁ ୩୪.୯ କୋଟି ଖାତା ସରକାରୀ (ପିଏସବି) ବ୍ୟାଙ୍କ, ୮.୦୫ କୋଟି ଖାତା ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ବଳକା ୧.୨୮ କୋଟି ଖାତା ଘରୋଇ ବ୍ୟାଙ୍କରେ ରହିଛି। ସେହିଭଳି ଏହି ଯୋଜନା ଜରିଆରେ ୩୧.୨୮ କୋଟି ପିଏମ୍ଜେଡିଓ୍ବାଇ ହିତାଧିକାରୀଙ୍କୁ ରୂପେ ଡେବିଟ୍ କାର୍ଡ ମଧ୍ୟ ଦିଆଯାଇଛି। ସେହିପରି ସରକାରୀ ସୂଚନା ଅନୁଯାୟୀ ଦେଶର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧସହରାଞ୍ଚଳଗୁଡ଼ିକର ବ୍ୟାଙ୍କ ଶାଖାରେ ୨୯.୫୪ କୋଟି ଜନ ଧନ ଆକାଉଣ୍ଟ ରହିଥିବା ବେଳେ ୨୦୨୧ ଡିସେମ୍ବର ୨୯ ସୁଦ୍ଧା ପ୍ରାୟ ୨୪.୬୧ କୋଟି ଆକାଉଣ୍ଟଧାରୀ କେବଳ ମହିଳା ଖାତାଧାରୀ ଅଛନ୍ତି। ଏହି ଯୋଜନାର ପ୍ରଥମ ବର୍ଷରେ ୧୭.୯୦ କୋଟି ପିଏମ୍ଜେଡିଓ୍ବାଇ ଖାତା ଖୋଲା ଯାଇଥିଲା। ଅପରପକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗାଇଡ୍ଲାଇନ ଅନୁଯାୟୀ ଜନ ଧନ ଆକାଉଣ୍ଟ ସମେତ ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (ବିଏସବିଡି) ଆକାଉଣ୍ଟରେ ମଧ୍ୟ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାର କୌଣସି ଆବଶ୍ୟକତା ନାହିଁ। ସେହିଭଳି ୨୦୨୧ ଡିସେମ୍ବର ୮ ସୁଦ୍ଧା ଜିରୋ ଆକାଉଣ୍ଟରେ ମୋଟ ସଂଖ୍ୟା ୩.୬୫ କୋଟି ଥିଲା, ଯାହା ଜନ ଧନ ଖାତାର ପ୍ରାୟ ୮.୩ % ଅଟେ ବୋଲି ସରକାର ଗତ ଶୀତ ଅଧିବେଶନରେ ସଂସଦକୁ ଜଣାଇଥିଲେ। ଏହି ଯୋଜନାର ହିତାଧିକାରୀଙ୍କ ଖାତାକୁ ବିଭିନ୍ନ ସମୟରେ ସରକାରଙ୍କ ଛାତ୍ର ବୃତ୍ତି, ସବ୍ସିଡି, ପେନ୍ସନ ଏବଂ କୋଭିଡ୍ ରିଲିଫ୍ ପାଣ୍ଠିର ସହାୟତା ଆଦି ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଜରିଆରେ ଜନ ଧନ ଆକାଉଣ୍ଟ ସମେତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପଠା (କ୍ରେଡିଟ୍) ଯାଇଥାଏ।