Advertisement

କୋରାପୁଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୨।୩,(ସ୍ବ.ପ୍ର): କୋରାପୁଟ ଜିଲା ପୋଲିସକୁ ଶୁକ୍ରବାର ବଡ ସଫଳତା ମିଳିଛି। ଜିଲାର ପୃଥକ ପୃଥକ ଦୁଇଟି ସ୍ଥାନରୁ ପୋଲିସ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୧ କୋଟି ୯ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି।
ପ୍ରକାଶ ଯେ, କୋରାପୁଟ ଟାଉନ ପୋଲିସ ଗୁରୁବାର ରାତିରେ ସ୍ଥାନୀୟ ଲାଣ୍ଡିଗୁଡା ଛକରେ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତଗତିରେ କୋରାପୁଟ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ଦେଖି ଅଟକାଇଥିଲା । ଏଥିରୁ ୧୨୬ ବସ୍ତା ଅଦା ଜବତ ହୋଇଥିବା ବେଳେ ଅନ୍ୟ ୫୦ ବସ୍ତାରୁ ଗଞ୍ଜେଇ ଜବତ ହୋଇଥିଲା। ଯାହାର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗଞ୍ଜେଇ ଚାଲାଣ କରାଯାଉଥିବା ୧୪ ଚକିଆ ଟ୍ରକ ସମେତ ଏକ ବୋଲେରୋ, ମାରୁତି କାର, ବାଇକ ଜବତ କରିଛି। ଏ ନେଇ ଶୁକ୍ରବାର ସ୍ଥାନୀୟ ଟାଉନ ପୋଲିସ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତିି । ଗଞ୍ଜେଇ କୋରାପୁଟର ପଟ୍ଟାଙ୍ଗି ବ୍ଲକର ଦେଓ ପଟ୍ଟାଙ୍ଗି ଅଞ୍ଜଳରୁ ରାୟପୁରକୁ ଯାଉଥିବା ଜଣାପଡ଼ିଛି।
ସେହିପରୀ ସେମିଳିଗୁଡା ଥାନା ପୋଲିସ ଦ୍ୱାରା ଏକ ପିଚୁ ଟ୍ୟାଙ୍କର ଗାଡି ନଂ.(ଡବ୍ଲୁବି ୩୩ ବି ୫୦୩୩) ରୁ ୬୭୫ କେଜି ଗଞ୍ଜେଇ (୬୭ ବଣ୍ଡଲ )ଜବତ କରାଯାଇଛି। ଏହାର ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share