ପାରଳାଖେମୁଣ୍ଡି,୧ା୫(ଡି.ଏନ୍.ଏ.): ମଣ୍ଡଳୀୟ ଶ୍ରମ ଆୟୁକ୍ତ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟ ପରିସର, ଗ୍ରାମ୍ୟଉନ୍ନୟନ ତାଲିମ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସଂଗ୍ରାମ କେଶରୀ ପଣ୍ଡାଙ୍କ ସମେତ ଜିଲା ଶ୍ରମ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ ବ୍ଲକର କୁଶଳୀ, ଅଣକୁଶଳୀ ଓ ସଂଗଠିତ, ଅଣସଙ୍ଘଠିତ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ। ଅତିରିକ୍ତ ଜିଲାପାଳ ବିଭିନ୍ନ ବର୍ଗର ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତା ଆଇନ ସମ୍ବନ୍ଧରେ ସୂଚନା ଦେବା ସହ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ବିଭିନ ଶ୍ରମିକ କଲ୍ୟାଣ ବୋର୍ଡରେ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ସମ୍ପର୍କିତ ତଥ୍ୟକୁ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଲେବର କାର୍ଡଧାରୀ କାର୍ଯ୍ୟରତ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାରକୁ ସାନ୍ତ୍ୱନା ମୂଳକ ସହାୟତା ରାଶି, ବିବାହ ପ୍ରୋତ୍ସାହନ ରାଶି ଏହିପରି ମୋଟ୍ ୮୫୭ ଜଣ ଶ୍ରମିକଙ୍କୁ ୨କୋଟିରୁ ଊଦ୍ଧର୍ବ ସହାୟତା ରାଶି ପ୍ରଦାନ କରାଯାଇଛି।