୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଫଳରେ ଗତ ୫ଦିନ ମଧ୍ୟରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ଧାରା ଜାରି ରହିଲେ ଆଉ ୪ ଦିନ ମଧ୍ୟରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୮ ହଜାର ୧୩୫ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୯୭୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୭୭୧ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୋମବାର ସୁଦ୍ଧା ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫ଲକ୍ଷ ୭୯ ହଜାର ୩୫୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୨ ସୁଦ୍ଧା ଦେଶରେ ୨ କୋଟି ୨ ଲକ୍ଷ ୨ ହଜାର ୮୫୮ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ରବିବାର ୩ ଲକ୍ଷ ୮୧ ହଜାର ୨୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share