ରାଜଧାନୀରେ ୧୨୦୦ ଡାକ୍ତର, ୭୦୦ ନର୍ସ, ୪୦୦ ପାରାମେଡିକାଲ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୧ ।୧: କରୋନା ସଂକ୍ରମଣ ମଧ୍ୟରେ ଦିଲ୍ଲୀର ହସ୍ପିଟାଲ ଗୁଡିକ ଅଡୁଆରେ ପଡିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୪୦ରୁ ଅଧିକ ସରକାରୀ ହସ୍ପିଟାଲ ଥିବା ବେଳେ ଏଥିମଧ୍ୟରୁ ୧୭ ହସ୍ପିଟାଲରେ ୨ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏସବୁ ହସ୍ପିଟାଲରୁ ତଥ୍ୟ ସଂଗ୍ରହ କରିବା ସମୟରେ ଜଣାପଡିଛି କି ଦିଲ୍ଲୀରେ ଏବେ ୧୨୦୦ ଡାକ୍ତର, ୭୦୦ ନର୍ସ ଓ ୪୦୦ ପାରାମେଡିକାଲ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଛନ୍ତି । ୨୩୦୦ ସ୍ୱାସ୍ଥ୍ୟକର୍ମୀ ନିଜ ନିଜ ଘରେ ଆଇସୋଲେଟ ହୋଇ ରହିଛନ୍ତି । କେବଳ ଦିଲ୍ଲୀ ଏମ୍ସରେ ୪୩୦ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୮୦ରୁ ଅଧିକ ଫ୍ୟାକଲ୍ଟି ଓ ରେସିଡେନ୍ସ ଡାକ୍ତର ରହିଛନ୍ତି । ଏମାନଙ୍କ ମଧ୍ୟରୁୁ ୩୫ ଜଣଙ୍କ ନିକଟରେ ମଡରେଟ ଲକ୍ଷଣ ଦେଖାଦେବାରୁ ଏମାନଙ୍କୁ ଏମ୍ସ ନ୍ୟୁ ପ୍ରାଇଭେଟ ୱାର୍ଡରେ ଭର୍ତ୍ତି କରାଯାଇଛି ।
ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ରାଜ୍ୟ ସ୍ତରରେ ସଂକ୍ରମିତ ସ୍ୱାସ୍ଥ୍ୟକର୍ମୀଙ୍କର କୌଣସି ସରକାରୀ ତଥ୍ୟ ବା ସଂଖ୍ୟା ଉପଲବ୍ଧ ନ ଥିବା କହିଛନ୍ତି । ହେଲେ ସେ ଏହାବି ସ୍ୱୀକାର କରିଛନ୍ତି କି ରାଜଧାନୀରେ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲ ସମେତ ନର୍ସିଂ ହୋମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

Share