ନେପାଳରେ ଆସିବ ଆହୁରି ଶକ୍ତିଶାଳୀ ଭୂମିକମ୍ପ! ୮.୦ ରୁ ଅଧିକ ତୀବ୍ରତାର ଭୂକମ୍ପ ଆସିବା ଚେତାବନୀ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୭/୧୧: ନେପାଳରେ ଗତ କିଛି ମାସ ହେବ ବଡ଼ ଭୂମିକମ୍ପ ଲାଗି ରହିଛି। ନିକଟରେ ୫.୪ ତୀବ୍ରତାର ଭୂମିକମ୍ପ ପ୍ରଭାବରେ କ୍ଷୟକ୍ଷତିରୁ ଲୋକମାନେ ଭାରି ନଥିବା ବେଳେ ପାହାଡି ଦେଶରେ ଆହୁରି ଶକ୍ତିଶାଳୀ ଭୂମିକମ୍ପ ଆସିବା ନେଇ ଚେତାବନୀ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୦୨୩ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନେପାଳରେ ୭୦ ଟି ଭୂକମ୍ପ ଅନୁଭୂତ ହେଲାଣି।

୨୦୧୫ ନେପାଳରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପରେ ୯ ହଜାର ଲୋକ ପ୍ରାଣ ହରାଇବା ପରେ ନିକଟରେ ନଭେମ୍ବର ୪ ତାରିଖ ଏବଂ ୬ ତାରିଖରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା। ମିଡ଼ିଆ ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଗତ ରବିବାର ଆସିଥିବା ଭୂମିକମ୍ପର ପ୍ରଭାବ ସମ୍ପୂର୍ଣ୍ଣ ଅନୁଭୂତ ହୋଇନାହିଁ। ଫଳରେ ଆଗାମୀ ସମୟରେ ୮.୦ ତୀବ୍ରତା କିମ୍ବା ତା ଠାରୁ ଶକ୍ତିଶାଳୀ ଭୂମିକମ୍ପ ଆସିପାରେ।

ଭୂକମ୍ପ ବିଶେଷଜ୍ଞ ତଥା ନ୍ୟାସନାଲ ସୋସାଇଟି ଫର ଭୂକମ୍ପ ପ୍ରଯୁକ୍ତିବିଦ୍ୟା-ନେପାଳ (ଏନଏସଇଟି) ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆମୋଦ ଦୀକ୍ଷିତଙ୍କ ଅନୁଯାୟୀ ରବିବାର ଦିନ ନେପାଳର କେନ୍ଦ୍ରୀୟ ବେଲ୍ଟରେ ଏହି ଭୂକମ୍ପ ଘଟିଛି ଯାହା ଏକ ସକ୍ରିୟ ଶକ୍ତି ମୁକ୍ତ କ୍ଷେତ୍ର ଅଟେ। ଭାରତୀୟ ଏବଂ ୟୁରାସିଆନ୍ ଟେକ୍ଟୋନିକ୍ ପ୍ଲେଟ ଧକ୍କା ହେତୁ ଏହି ଭୂକମ୍ପ ଘଟିଛି।

ତେବେ ଦୀକ୍ଷିତଙ୍କ କହିବା ଅନୁଯାୟୀ ରବିବାରର ଭୂକମ୍ପ କେନ୍ଦ୍ରୀୟ ବେଲ୍ଟ ଉପରେ ପ୍ରଭାବ ପକାଇ ନାହିଁ ବରଂ ନେପାଳର ପୂର୍ବ ଏବଂ ପଶ୍ଚିମ ବେଲ୍ଟ ଉପରେ ପଡିଛି। ତେଣୁ, କେବଳ ଷ୍ଟ୍ରେନର ଏକ ଭଗ୍ନାଂଶ ମୁକ୍ତ ହୋଇଛି। ଏବଂ ୮.୦ ତୀବ୍ରତା କିମ୍ବା ଅଧିକ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି କରିବାକୁ ପର୍ଯ୍ୟାପ୍ତ ପରିମାଣର ଷ୍ଟ୍ରେନ୍ ବାକି ଅଛି ଏବଂ ଏହି ଭୂକମ୍ପ ବର୍ତ୍ତମାନ ଯେକୌଣସି ସମୟରେ ହୋଇପାରେ। କାରଣ ଜାନୁଆରୀ ୨୦୨୩ ଠାରୁ ନେପାଳରେ ୭୦ ଟି ଭୂକମ୍ପ ଅନୁଭୂତ ହୋଇସାରିଲାଣି।

Share