କାଏମା ପାହାଡ଼ରୁ ମୋରମ୍‌ ଲୁଟ ଉଦ୍ୟମ

କାଏମା,୨୩ା୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ଼ରୁ ମୋରମ୍‌ ଲୁଟ ପାଇଁ କେତେଜଣ ଯୁବକ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ଅଟକାଇଛନ୍ତି। କାଏମା ପାହାଡ଼ ବା ଗୋଗଳ ପାହାଡ଼ ପାଦଦେଶେରେ ପ୍ରାଚୀନ ବୌଦ୍ଧ କୀର୍ତ୍ତି ସମ୍ପନ୍ନ ହାତିଆଶୁଣି ଅବସ୍ଥିତ। ୨୦୦୪ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିପୁଳ ଟଙ୍କା ବ୍ୟୟରେ ଏହାର ସୋନ୍ଦର୍ଯ୍ୟକରଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହାସିକ ବୌଦ୍ଧପୀଠ ହାତିଆଶୁଣି ନିଜର ପରିଚୟ ହଜାଇବାକୁ ବସିଲାଣି। ପାହାଡ଼କୁ ସୁରକ୍ଷା ଦେବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏହା ନଷ୍ଟ ହେଲାଣି। ପାହାଡ଼ ସୁରକ୍ଷା ନିମନ୍ତେ ଏହାଉପରେ ନିଷିଦ୍ଧ ଅଞ୍ଚଳ ବୋଡ ଲଗାଯାଇଥିଲା। କିନ୍ତୁ ତାହା ଆଉ ଦେଖିବାକୁ ମିଳୁନାହିଁ। ତେଣୁ ଅଭିନବ ଉପାୟରେ କିଏ ଗଛ କାଟି ବିକ୍ରି କରୁଛି ତ ଆଉ କିଏ ସ୍କୁଲ ଓ ମନ୍ଦିର ବାହାନାରେ ଏହାକୁ ଖୋଳି ମୋରମ୍‌ ଲୁଟ କରୁଥିବା ଦେଖିବାକୁ ମିଳୁଛି।
କେତେଜଣ ବ୍ୟକ୍ତି ପାହାଡ଼ ଉପରେ ଏକ ମନ୍ଦିର ନିର୍ମାଣ ବାହାନାରେ ପାହାଡ଼କୁ ଯିବା ପାଇଁ ରାସ୍ତା କରିବା ନିମନ୍ତେ ପାହାଡ ଖୋଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏଥିରେ ବ୍ୟବହୃତ ଜେସିବି ମେଶିନ ଓ ଟ୍ରାକ୍ଟରରେ ନମ୍ବର ନ ଥିଲା। ଲୋକେ ପଚାରିବାରୁ ସେମାନେ ଥାନା, ତହସିଲ ଓ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କଠାରୁ ଅନୁମତି ଆଣିଥିବା କହିଥିଲେ। ହେଲେ କୌଣସି କାଗଜ ପତ୍ର ଦେଖାଇ ପାରି ନ ଥିଲେ। ସ୍ଥାନୀୟଲୋକେ ପ୍ରଶାସନ ସହ ଫୋନ ଯୋଗେ ଯୋଗାଯୋଗ କରି କୌଣସି ଅନୁମତି ନ ଥିବା ଜାଣିବାକୁ ପାଇଥିଲେ। ବେଆଇନ ଭାବେ ପାହାଡ଼ ଖୋଳିବା ଏବଂ ଲୁଚାଇ ମୋରମ ଲୁଟ କରାଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ ଧସ୍ତାଧସ୍ତି ଆଡ଼କୁ କଥା ବଢ଼ିଥିଲା। ପରେ ଖୋଳୁଥିବା ବ୍ୟକ୍ତିମାନେ ମେଶିନ ଓ ଟ୍ରାକ୍ଟର ନେଇ ଚାଲି ଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଆଗାମୀ ଦିନରେ ବେଆଇନ ବାଲି, ମୋରମ ଭଳି ଖଣିଜ ପଦାର୍ଥ ମନଇଛା ଲୁଟ ବିରୋଧରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଶୁଭଙ୍କର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ପାହାଡ଼ରୁ ମୋରମ୍‌ ଖୋଳିବା ପାଇଁ କାହାରିକୁ ଅନୁମତି ଦିଆଯାଇ ନାହିଁ।

Share