ସକାଳୁଆ ଅଫିସ୍‌: ଆରମ୍ଭରୁ ଅବ୍ୟବସ୍ଥା

ଗୋପ,୧୧ା୪(ଭାରତୀ ଭୂଷଣ ଉପାଧ୍ୟାୟ)ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ଏପ୍ରିଲ୍‌ ୧୦ରୁ ସକାଳୁଆ ଅଫିସ୍‌ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶକୁ ସରକାରୀ ଅଧିକାରୀ ଓ କର୍ମଚାରୀ ଫୁ କରିଥିବା ଦେଖିବାକୁ ମିଳିଛି। ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ଦେଖାମିଳୁନି। ବୁଧବାର ଗୋପ ବ୍ଲକର ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶରେ ଫେରିଥିବା ସାଧାରଣରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବୁଧବାରଠାରୁ ସକାଳୁଆ ଅଫିସ୍‌ ଆରମ୍ଭ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ତେଣୁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସକାଳ ୭ଟା ସୁଦ୍ଧା ଆସି ପହଞ୍ଚିବା କଥା। ମାତ୍ର ଗୋପ ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବୁଧବାର ଗୋପ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ ଓ କୃଷି ବିଭାଗ ଆଦି ବିଭିନ୍ନ ସରକାରୀ ଅଫିସ୍‌ରେ ସକାଳ ୯ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ଫଳରେ ଗାଁ ଗହଳିରୁ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶରେ ଫେରିଥିଲେ। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରଞ୍ଜନ ଦାଶ, ଭଗବାନ ପଢିହାରୀ, ସଞୁଲତା କାଣ୍ତି ପ୍ରମୁଖ ଦାବି କରିଛନ୍ତି। ସେମାନେ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଆସି କାମ ହୋଇ ନ ପାରିବାରୁ ନିରାଶରେ ଫେରିଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଛବିରାଣୀ ସାହୁ କହିଛନ୍ତି, ପ୍ରଥମ ଦିନ ହୋଇଥିବାରୁ କେତେଜଣ କର୍ମଚାରୀ ବିଳମ୍ବରେ ଆସିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Share