Categories: ଖେଳ

ଫିଫା ବିଶ୍ୱକପ୍‌ ସେମିଫାଇନାଲ୍‌ରେ ପରାଜୟ ପରେ ମରକ୍କୋ ପ୍ରଶଂସକଙ୍କ ହଙ୍ଗାମା

କତାର,୧୫।୧୨: ଫିଫା ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମରକ୍କୋ ଦଳ ଫ୍ରାନ୍ସ ଠାରୁ ୨-୦ରେ ପରାଜିତ ହୋଇଛି। ଦଳର ପ୍ରଥମ ପରାଜୟକୁ ମରକ୍କୋ ପ୍ରଶଂସକମାନେ ହଜମ କରିପାରି ନ ଥିଲେ। ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏବଂ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ମରକ୍କୋ ପ୍ରଶଂସକମାନେ ହଙ୍ଗାମା କରିଥିଲେ। ବ୍ରୁସେଲ୍ସରେ ମରକ୍କୋ ପ୍ରଶଂସକମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।
ପ୍ରାୟ ୧୦୦ ମରକ୍କୋ ପ୍ରଶଂସକ ବ୍ରୁସେଲ୍ସ ସାଉଥ ଷ୍ଟେଶନ ନିକଟରେ ପୋଲିସ ଉପରକୁ ଅଳିଆ ବ୍ୟାଗ ଏବଂ କାର୍ଡବୋର୍ଡ ବାକ୍ସରେ ନିଆଁ ଲଗାଇ ଦେଇଥିଲେ। ହିଂସାକୁ ରୋକିବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ଏହି ଘଟଣାରେ ପୋଲିସ ଅନେକ ପ୍ରଶଂସକଙ୍କୁ ମଧ୍ୟ ଅଟକ ରଖିଥିଲା। ତେବେ ଏହି ସଂଘର୍ଷରେ କେହି ଗୁରୁତର ଆହତ ହୋଇନାହାଁନ୍ତି। ମରକ୍କୋର ସମର୍ଥକମାନେ ପୂର୍ବରୁ ବେଲଜିୟମରେ ହିଂସା କରିଥିଲେ। ଫିଫା ବିଶ୍ୱକପ ଗ୍ରୁପ ମ୍ୟାଚରେ ମରକ୍କୋ ବେଲଜିୟମକୁ ପରାସ୍ତ କରିଛ। ଏହା ପରେ ବ୍ରୁସେଲ୍ସରେ ଉଭୟ ଦଳର ପ୍ରଶଂସକ ସଂଘର୍ଷ କରିଥିଲେ ଏବଂ ସେଠାରେ ବହୁ ହିଂସା ହୋଇଥିଲା। ବର୍ତ୍ତମାନ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ମଧ୍ୟ ସମାନ ପରିସ୍ଥିତି ଘଟିଛି।
ଲଗାତର ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ ହେଉଛି ଦ୍ୱିତୀୟ ଦଳ। ଏହାପୂର୍ବରୁ ବ୍ରାଜିଲ ୨୦୦୨ରେ ଫାଇନାଲରେ ପ୍ରବେଶ କରିଥିଲା।

Share