ମୋଦିଙ୍କୁ ଧନ୍ୟବାଦ ଦେଲେ ନୋରା

ମୁମ୍ବାଇ: ମରକ୍କୋରେ ଶୁକ୍ରବାର ହୋଇଥିବା ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ହଜାର ହଜାର ଲୋକଙ୍କ ଜୀବନ ହାନୀ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି। କିଏ ନିଜ ପରିବାରକୁ ହରାଇଛି ତ ପୁଣି କିଏ ନିଜ ପ୍ରିୟଜନଙ୍କୁ। ନିଜ ଦେଶର ଏଭଳି ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ କୁଇନ ନୋରା ଫତେହି। ନିଜ ଦେଶର ଏଭଳି ପରିସ୍ଥିତିରେ ସାହାଯ୍ୟ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିଥିଲେ। ଆଉ ଏହାପରେ ତୁରନ୍ତ ମୋଦି ମରକ୍କୋବାସୀଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଦିଆଯାଇଥିବା ତୁରନ୍ତ ସାହାଯ୍ୟରେ ନୋରା ଫତେହି ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୋରା ଫତେହି ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଏବଂ ଲେଖିଛନ୍ତି – ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମହାନ ସହଯୋଗ ପାଇଁ ଧନ୍ୟବାଦ। ତୁମେ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏ ପ୍ରଥମେ ସାହାଯ୍ୟର ହାତ ବଢାଇଲା। ମୋରୋକୋ ଲୋକମାନେ ଆପଣଙ୍କ ନିକଟରେ କୃତଜ୍ଞ। ଜୟ ହିନ୍ଦ।
ଏହାପୂର୍ବରୁ, ମରକ୍କୋରେ ଘଟିଥିବା ଭୟଙ୍କର କ୍ଷୟକ୍ଷତି ଦେଖିବା ପରେ ନୋରା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ – ମରକ୍କୋରେ ଆଜି କ’ଣ ଘଟିଛି, କେତେ ସହର ଏହା ଦ୍ୱାରା ପ୍ରଭାବିତ ହୋଇଛି ତାହା ଖବର ହୃଦୟ ବିଦାରକ ଥିଲା। ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମୋ ମନରେ ଏକ ଭୟ ଅଛି, ମୁଁ ଚିନ୍ତିତ। ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ସବୁ ଠିକ ଅଛି। ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ଆମର ସମସ୍ତ ଲୋକ ଭଲ ଅଛନ୍ତି। ଏହି ପ୍ରାକୃତିକ ଘଟଣାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆଲାହିଫାଦ କୋମ ୟା ରବ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ଆଫ୍ରିକୀୟ ମହାଦେଶର ଉତ୍ତରରେ ଅବସ୍ଥିତ ମରକ୍କୋରେ ୬.୮ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି। ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି।

 

Share