କାମାକ୍ଷାନଗର, ୨୩।୮ (ସୁଧୀର କୁମାର ପରିଡ଼ା): ଏଡ୍ସ ଭଳି ମାରାତ୍ମକ ବ୍ୟାଧି ରୋକିବାକୁ ବ୍ୟାପକ ହେଉଛି ସଚେତନତା। ସଭା ସମିତି, ବୈଠକ କରି ରୋଗୀଙ୍କ ପାଖରେ ପହଞ୍ଚତ୍ବାକୁ ଜାରିରହିଛି ପ୍ରୟାସ। ରୋଗୀ ନୁହେଁ, ରୋଗକୁ ଘୃଣା କର ବୋଲି ଦିଆଯାଉଛି ସ୍ଲୋଗାନ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଏଡ୍ସର ସ୍ଥିତି ଉଦ୍ବେଗଜନକ ରହିଛି। ଗତ ୧୩ ବର୍ଷ ମଧ୍ୟରେ ୧୮୬ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ୨୦୨୦ ଜୁଲାଇ ସୁଦ୍ଧା ୧୧ ଜଣଙ୍କ ରକ୍ତରେ ଭୂତାଣୁ ଚିହ୍ନଟ ହୋଇଛି। ସେହିପରି ବିଭିନ୍ନ କାରଣରୁ ୫୪ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି।
ଢେଙ୍କାନାଳ ଜିଲାରେ ଏଡ୍ସ ରୋଗୀ ସଂଖ୍ୟା ବଢୁଛି। ତେବେ କାମାକ୍ଷାନଗର ଉପଖଣ୍ଡରେ ସଂକ୍ରମଣ ହାର ଜିଲାସ୍ତରରୁ ଅଧିକ ରହିଛି। ଏହାକୁ ନିୟନ୍ତ୍ରଣକୁ ଆଣିବା, ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଯୋଗାଇଦେବା ଏବଂ କାଉନସେଲିଂ କରିବାକୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୨୦୦୬ ଅକ୍ଟୋବରରେ କାର୍ଯ୍ୟକ୍ଷମ ହୋଇଥିଲା ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର। ଏହି କେନ୍ଦ୍ର ମାଧ୍ୟମରେ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ୬୦,୫୪୦ ଜଣଙ୍କୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୨୮୯୬୭ ପୁରୁଷ, ୭୮୦୮ ମହିଳା, ୨୩୭୬୫ ଗର୍ଭବତୀ ଅଛନ୍ତି। ସେହିପରି ପରାମର୍ଶ ପରେ ୨୬,୧୧୬ ପୁରୁଷ, ୫,୮୦୪ ମହିଳା, ୨୩,୧୪୯ ଗର୍ଭବତୀଙ୍କ ଏଡ୍ସ ପରୀକ୍ଷା କରାଯାଇଛି। ପରୀକ୍ଷାରୁ ୧୧୯ ପୁରୁଷ, ୪୯ ମହିଳା,୧୮ ଗର୍ଭବତୀ ଏଡ୍ସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିପରି ଅନ୍ୟପଟେ ଗତ ୧୩ ବର୍ଷ ଭିତରେ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ପୁରୁଷ, ୧୧ ମହିଳା, ୩ ଗର୍ଭବତୀଙ୍କ ମୃତ୍ୟୁ ଘଟିଲାଣି। ଏଡ୍ସର କାରଣ, ନିରାକରଣ କ୍ଷେତ୍ରରେ ସରକାରୀସ୍ତରରେ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି। ତଥାପି ଉପଖଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି।
ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ରରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବ୍ୟବସ୍ଥା ରହିଛି। ରୋଗୀଙ୍କ ଆଗ୍ରହ ପରେ ରକ୍ତ ପରୀକ୍ଷା କରାଯାଇଥାଏ। ସାମାଜିକ ବାସନ୍ଦ ଏବଂ ଘୃଣାର ଶିକାର ହେବା ଭୟରେ ସେମାନଙ୍କ ପରିଚୟ ଗୋପନ ରଖିବାକୁ କଡ଼ା ନିର୍ଦ୍ଦେଶ ରହିଛି। ତଥାପି ଲୋକଲଜ୍ଜା ଏବଂ ବାସନ୍ଦ ଭୟରେ ଚିହ୍ନଟ ପରେ ଚିକିତ୍ସା କରାଇବା ଲାଗି ରୋଗୀମାନେ ଆଗ୍ରହୀ ହେଉନାହାନ୍ତି। ଉପଖଣ୍ଡରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ଅନୁଗୋଳ ଯାଇ ଆଣ୍ଟିରେଟ୍ରୋଭାଇରାଲ ଥେରାପି ଗ୍ରହଣ କରି ତଦନୁଯାୟୀ ଔଷଧ ସେବନ କରୁଛନ୍ତି। ହେଲେ ୧୫ ଜଣ ଆଦୌ ଯାଇ ନ ଥିବା ଜଣାପଡ଼ିଛି, ଯାହା ରୋଗୀଙ୍କ ଭୟକୁ ଦର୍ଶାଉଛି। ସେହିପରି ଆକ୍ରାନ୍ତଙ୍କ ପାଇଁ ବିଜୁ ପକ୍କାଘର, ମଧୁବାବୁ ପେନ୍ସନ ଯୋଜନାରେ ଭତ୍ତା ଭଳି ବିଭିନ୍ନ ଯୋଜନାରେ ସାମିଲ କରିବାକୁ ନିୟମ ରହିଥିଲେ ମଧ୍ୟ ସାମାଜିକ କଟକଣା ଭୟରେ ଏହାର ସୁଯୋଗ ନେଉନାହାନ୍ତି। କେତେକ କ୍ଷେତ୍ରରେ ରୋଗୀମାନେ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନ ପାଖକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଉଥିବା ଅଭିଯୋଗ ହେଉଛି। ତୃଣମୂଳସ୍ତରରେ ବ୍ୟାପକ ଜନସଚେତନତା ଦ୍ୱାରା ଏଡ୍ସ ନିୟନ୍ତ୍ରଣକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ସମ୍ମିଳିତ ଉଦ୍ୟମ ଆବଶ୍ୟକ
ଆଜିକାର ସମୟରେ ସବୁକ୍ଷେତ୍ରରେ ସଚେତନତା ଜରୁରୀ। ଏହା କେବଳ ସରକାରୀସ୍ତରରେ ସୀମିତ ହେଲେ ହେବନାହିଁ। ଅନୁଷ୍ଠାନ, ଯୁବଗୋଷ୍ଠୀ, ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସମେତ ପ୍ରତି ପରିବାରରେ ଏଡ୍ସର ଭୟାବହତା ବାର୍ତ୍ତା ପହଞ୍ଚତ୍ବା ଦରକାର। ଏହାଦ୍ୱାରା ରୋଗ ନିୟନ୍ତ୍ରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିସହ ଯୋଗ ପ୍ରାଣାୟମ ଦ୍ୱାରା ମନକୁ ସଂଯମୀ କରାଯାଇପାରିବ, ଯାହା ଏଡ୍ସ ଭଳି ଦୁରାରୋଗ୍ୟ ବ୍ୟାଧିର ମହୌଷଧୀ।
-ମଙ୍ଗତଲାଲ୍ କଟାରୁକା, ସାମାଜିକ କର୍ମୀ
ରୋଗୀ ଲୁଚାଉଛନ୍ତି ରୋଗ
ରାଜ୍ୟ ବାହାରକୁ ଯାଇଥିବା ପ୍ରବାସୀ ଭୂତାଣୁ ବାହକ ସାଜୁଛନ୍ତି। ରୋଗର ଭୟାବହତା ଜାଣିବା ସତ୍ତ୍ୱେ ସେମାନେ ସୁରକ୍ଷିତ ଯୌନସମ୍ପର୍କ ପଦ୍ଧତି ଆପଣାଉନାହାନ୍ତି। ସରକାରଙ୍କ ପକ୍ଷରୁ ସଚେତନତା, ମାଗଣା ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ରୋଗୀ ସାମାଜିକ ବାସନ୍ଦ ଭୟରେ ରୋଗ ଲୁଚାଉଛନ୍ତି। ନିୟମିତ ଔଷଧ ସେବନ କରୁନାହାନ୍ତି। ଏଥିପାଇଁ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରାଇବା ଆବଶ୍ୟକତା ରହିଛି। ଏଥିରେ ଅଧିକରୁ ଅଧିକ ଯୁବଗୋଷ୍ଠୀ ସାମିଲ ହେଲେ ଏଡ୍ସ ନିରୋଧୀ ଅଭିଯାନ ଫଳପ୍ରଦ ହୋଇପାରନ୍ତା।
-ପ୍ରଫୁଲ୍ଲ କୁମାର ସାହୁ,
ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶଦାତା