ରାତିରେ ଚାଲିଛି ମୋରମ ଲୁଟ୍‌

ରୂପସା, ୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ରୂପସା ଥାନା ଅଧୀନ ଗଡ଼ପଦା ପଞ୍ଚାୟତ ଅଧୀନ କେନ୍ଦୁଡ଼ାଙ୍ଗିରି ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ବ ବିଭାଗ, ପୋଲିସ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ଏଠି ଦିନ ରାତି ନିୟମିତ ମୋରମ୍‌ ଲୁଟ୍‌ ହେଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବସ୍ତା ତହସିଲଦାର, ରୂପସା ଥାନା ଆଇଆଇସି ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯୋଜନାରେ ୨୦୨୧-୨୨ବର୍ଷରେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁଡ଼ାଙ୍ଗିରି ଗାଁ ଫାଦର ଟ୍ୟାଙ୍କ ରିନୋଭେସନ ପ୍ରକଳ୍ପ ବିଭାଗ ତରଫରୁ ମଞ୍ଜୁର ହୋଇଥିଲା। ତଦନୁଯାୟୀ ପଞ୍ଚାୟତ କର୍ତ୍ତୃପକ୍ଷ, ବିଭାଗୀୟ ଜେଇ ଓ ଜିଆର୍‌ଏସ୍‌ କାର୍ଯ୍ୟାରମ୍ଭ କରିଥିଲେ। ନାମକୁ ମାତ୍ର ଜବକାର୍ଡ଼ଧାରୀଙ୍କୁ କାମରେ ଲଗାଇ ମୋରମ୍‌ ମାଫିଆଙ୍କଠାରୁ ମୋଟାଅଙ୍କର ବଟି ନେଇ ଏଠାରୁ ମୋରମ୍‌ ଲୁଟ୍‌ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଉକ୍ତ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି। ନିୟମିତ ରାତିରେ ଜେସିବି ଦ୍ୱାରା ମୋରମ୍‌ ଖୋଳାଯାଇ ୧୦/୧୨ଟି ଡମ୍ପର ଯୋଗେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାକୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଚାଲାଣ ହେଉଛି। ହେଲେ ପୋଲିସ, ରାଜସ୍ବ ବିଭାଗ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଚୁପ୍‌ ବସିଥିବା ଆଇନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।