ଖୋଲିବାକୁ ଯାଉଛି ଇତିହାସର ସବୁଠୁ ବଡ଼ ଦୁର୍ନୀତି

ପାନାମା ସିଟି, ୩।୧୦: ପାନାମା ପେପର୍ସ ଭଳି ଆଉ ଏକ ବିଶ୍ୱସ୍ତରୀୟ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି। ପାନାମା ପେପର୍ସ ସ୍କାଣ୍ଡାଲ ୨.୦ କୁହାଯାଉଥିବା ପାଣ୍ଡୋରା ପେପର୍ସକୁ ଇଣ୍ଟରନ୍ୟାଶନାଲ କନ୍‌ସୋର୍ଟିୟମ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟସ୍‌ (ଆଇସିଆଇଜେ) ପ୍ରକାଶ କରିବାକୁ ଯାଉଛି। ଏଥିରେ ୧୧.୯ ନିୟୁତ ଦସ୍ତାବିଜ୍‌ ରହିଛି। ୨୦୧୬ରେ ପାନାମା ପେପର୍ସ ଲିକ୍‌ ହୋଇଥିଲା, ଯେଉଁଥିରେ ଅନେକ ବିଶ୍ୱ ନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ପାଣ୍ଡୋରା ପେପର୍ସରେ ତାହାଠାରୁ ଖୁବ୍‌ ବଡ଼ ଆର୍ଥିକ ଅନିୟମିତତା ପ୍ରକାଶ ପାଇବାକୁ ଯାଉଛି। ଏହି ତଦନ୍ତରେ ୧୧୭ ଦେଶର ୬୦୦ ଖବରଦାତା ଏବଂ ୧୫୦ ଗଣମାଧ୍ୟମ ସଂସ୍ଥା ଜଡ଼ିତ ଅଛନ୍ତି। ୧୧୭ଟି ଦେଶର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଆର୍ଥତ୍କ କାରବାରର ବିବରଣୀ ଏଥିରେ ରହିଛି। ପାନାମା ପେପର୍ସ ଲିକ୍‌ ଯୋଗୁ କଳାଧନ ଲୁଚାଇ ରଖାଯାଉଥିବା ସଂସ୍ଥାଗୁଡ଼ିକର ପ୍ରତିଷ୍ଠା ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଏବେ ପୁଣିଥରେ ଆର୍ଥତ୍କ ଗୋପନୀୟତା ପଦାରେ ପଡ଼ିବାକୁ ଯାଉଥିବା ପାନାମା ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି।

Share