ସବୁଠୁ ଦାମୀ ଆପାର୍ଟମେଣ୍ଟ ବିକ୍ରି, ମୂଲ୍ୟ ଜାଣିଲେ..

ନୂଆଦିଲ୍ଲୀ, ୩୧ା୩: ଭାରତର ସବୁଠୁ ଦାମୀ ଆପାର୍ଟମେଣ୍ଟ ଭାବେ ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍‌ରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଣ୍ଟ ପରିଚିତ। ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ୩୬୯ କୋଟି ଟଙ୍କାରେ ବିକ୍ରି ହୋଇଛି। ଶିଳ୍ପପତି ତଥା ଫେମି କେୟାରର ପ୍ରତିଷ୍ଠାତା ଜେ.ପି. ଟାପାରିଆଙ୍କ ପରିବାର ଏହି ଆପାର୍ଟମେଣ୍ଟକୁ ମାକ୍ରୋଟେକ୍‌ ଡେଭେଲପର୍ସଙ୍କଠାରୁ କିଣିଛନ୍ତି। ଏହା ଲୋଧା ମାଲାବାର ୨୬, ୨୭ ଏବଂ ୨୮ତମ ଫ୍ଲୋରରେ ରହିଛି। ୧.୦୮ ଏକର ଉପରେ ନିର୍ମିତ ଏହି ଆପାର୍ଟମେଣ୍ଟ ଉଭୟ ଆରବ ସାଗର ଓ ହ୍ୟାଙ୍ଗିଙ୍ଗ ଗ୍ୟାଡେନ୍‌କୁ ସ୍ପର୍ଶ କରୁଛି। ଟ୍ରିପ୍ଲେକ୍ସର ମୋଟ କ୍ଷେତ୍ରଫଳ ୨୭,୧୬୦ ବର୍ଗଫୁଟ। ଜେ.ପି. ଟାପାରିଆ ପରିବାର ଏହାକୁ ବର୍ଗଫୁଟ୍‌ ପ୍ରତି ୧.୩୬ ଲକ୍ଷ ଟଙ୍କାରେ କିଣିଛନ୍ତି। ବର୍ଗଫୁଟ ହିସାବରେ ଏହା ଦେଶର ସବୁଠୁ ମହଙ୍ଗା ଆବାସିକ ଆପାର୍ଟମେଣ୍ଟ ଡିଲ୍‌। ଆପାର୍ଟମେଣ୍ଟ କିଣାରେ ଷ୍ଟାମ୍ପ ଡ୍ୟୁଟି ବାବଦ ଟାପାରିଆ ପରିବାର ୧୯.୦୭ କୋଟି ଟଙ୍କା ପୈଠ କରିଛନ୍ତି। କିଛିଦିନ ପୂର୍ବରୁ ବଜାଜ ଅଟୋ ଅଧ୍ୟକ୍ଷ ନିରଜ ବଜାଜ ୨୫୨.୫ କୋଟି ଟଙ୍କାରେ ଲୋଧା ଗ୍ରୁପ୍‌ଠାରୁ ଲକ୍‌ଜୁରୀ ଟ୍ରିପ୍ଲେକ୍ସ ପେଣ୍ଟହାଉସ୍‌ କିଣିଥିଲେ।

Share