Categories: ଫୁରସତ

ପଞ୍ଜୁରିରେ ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼

ଭୋପାଳ: ଧରାପଡ଼ିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼। ମଧ୍ୟପ୍ରଦେଶ ରାଜଗଡ଼ରୁ ଏହି ମାଙ୍କଡ଼କୁ ପ୍ରାଣୀ ଉଦ୍ଧାରକରୀ ଦଳ ଧରିବାରେ ସକ୍ଷମ ହୋଇଛି। କିଛିଦିନ ହେବ ରାଜଗଡ଼ରେ ଉତ୍ପାତ ଆରମ୍ଭ କରିଥିଲା ଏହି ଦୁଷ୍ଟ ମାଙ୍କଡ଼। ଲୋକେ ଏହି ମୋଷ୍ଟ ଓ୍ବାଣ୍ଟେଡ୍‌ ମାଙ୍କଡ଼ର ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଥିଲେ। ଛୋଟ ପିଲାଠାରୁ ଆରମ୍ଭ କରି ସାଧାରଣ ଲୋକ ଏବଂ କେତେଜଣ ପୋଲିସ କର୍ମଚାରୀ ମଧ୍ୟ ମାଙ୍କଡ଼ର ଆକ୍ରମଣରୁ ରକ୍ଷା ପାଇନାହାନ୍ତି। ପାଖାପାଖି ୨ ସପ୍ତାହ କାଳ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିଲା ଏହି ମାଙ୍କଡ଼।
ଯେତେ ବିତୁଥିଲା, ସ୍ଥାନୀୟ ଅଞ୍ଚଳରେ ଏହି ମାଙ୍କଡ଼ ସେତେ ଭୟ ଖେଳାଇବାରେ ଲାଗିଥିଲା। ସ୍ଥିତି ଏମିତି ହୋଇ ପଡ଼ିଲା ଯେ, ଗାଁ ଲୋକେ ଘରୁ ବାହାରିବାକୁ ଭୟ କଲେ। କେତେଜଣ ଘର ଛାତରେ ବନ୍ଧୁକ ଧରି ମାଙ୍କଡ଼କୁ ମାରିବା ପାଇଁ ଜଗି ବସିଲେ। ସାଧାରଣ ଭାବେ ମାଙ୍କଡ଼ଟି ଖାଦ୍ୟ ଅନ୍ବେଷଣରେ ଘରକୁ ଘର ବୁଲୁଥିବାବେଳେ ହଠାତ୍‌ ସେଠାରେ ଥିବା ଲୋକଙ୍କ ମୁହଁକୁ ମୁଥ ମାରି ସେମାନଙ୍କୁ କ୍ଷତାକ୍ତ କରିଦେଉଥିଲା। ଖାଲି ସେତିକି ନୁହେଁ, ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିବା ଅନେକଙ୍କୁ ହସ୍ପିଟାଲ ଯାଇ କ୍ଷତସ୍ଥାନରେ ଷ୍ଟିଚ୍‌ ପକାଇବାକୁ ପଡ଼ିଛି।
ଦିନ ଭିତରେ ମାଙ୍କଡ଼ଟି ମୋଟ ୨୦ ଜଣଙ୍କୁ ଆକ୍ରମଣ କରିଛି, ଯେଉଁଥିରେ ୮ ଜଣ ଛୋଟ ଛୁଆ ଅଛନ୍ତି। ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ମାଙ୍କଡ଼କୁ ଧରିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲା। ଏଥିପାଇଁ କେତେଜଣ ପୋଲିସ ଅଧିକାରୀଙ୍କୁ ମାଙ୍କଡ଼ର ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଶେଷରେ ମାଙ୍କଡ଼କୁ ଧରିବା ଲାଗି ପୋଲିସ ୨୧ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କଲା। ସ୍ଥାନୀୟ ପ୍ରଶାସନ ମାଙ୍କଡ଼ ଧରିବାରେ ବିଫଳ ହେବା ପରେ ଉଜୈନରୁ ପ୍ରାଣୀ ଉଦ୍ଧାରକାରୀ ଦଳର ସହାୟତା ଲୋଡ଼ାଗଲା। ଡ୍ରୋନ୍‌ ଯୋଗେ ମାଙ୍କଡ଼କୁ ଟ୍ରେସ୍‌ କରାଗଲା। ମାଙ୍କଡ଼କୁ ଠାବ କରିବା ପରେ ଟ୍ରାଙ୍କୁଲାଇଜର ଦେଇ ତାକୁ ଅଚେତ କରାଗଲା। ପରେ ତାକୁ ଏକ ପିଞ୍ଜରାରେ ବନ୍ଦ କରି ବନ ବିଭାଗ ରଖିଲା। ଅମାନିଆ ମାଙ୍କଡ଼କୁ ଧରିବା ପାଇଁ ପାଖାପାଖି ୪ ଘଣ୍ଟାର ଅପରେଶନ୍‌ କରାଯାଇଥିଲା। ମାଙ୍କଡ଼କୁ କାବୁ କରିବା ପରେ ସ୍ଥାନୀୟ ଲୋଲେ ଜୟ ଶ୍ରୀ ରାମ, ଜୟ ବଜରଙ୍ଗବାଲୀ ଉଚ୍ଚାରଣ କରିବା ଆରମ୍ଭ କରିଥିଲେ। ମାଙ୍କଡଟିକୁ ଘନ ଜଙ୍ଗଲ ମଧ୍ୟରେ ଛଡ଼ାଯିବ, ଯାହାଫଳରେ ସେ ସାଧାରଣତ ଜନବସତିଠାରୁ ଦୂରରେ ରହିବ ବୋଲି ବନ ବିଭାଗ ଅଧିକାରୀ ଗୌରବ ଗୁପ୍ତା କହିଛନ୍ତି।

Share