ବକୁଳ ଫାଉଣ୍ଡେଶନକୁ ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ପୁରସ୍କାର

ଭୁବନେଶ୍ୱର, ୩୧।୧(ବ୍ୟୁରୋ):ହାଇଦ୍ରାବାଦଠାରେ ଚାଲିଥିବା ହାଇଦ୍ରାବାଦ ସାହିତ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆ ରିଡିଂ ଅଲମ୍ପିଆଡ୍‌ର ୫ମ ସଂସ୍କରଣର ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ବର୍ଗରେ ବକୁଳ ଫାଉଣ୍ଡେଶନକୁ ପୁରସ୍କୃତ କରାଯାଇଛି। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଏବଂ ଦୁଇ ଭଲ୍ୟୁଣ୍ଟର ନିଳାଞ୍ଜନା ଦାସ ଓ ଦେବଜ୍ୟୋତି ବାଜି ଏହି ସମ୍ମାନ ଗ୍ରହଣ କରିଥିଲେ।
ଫର୍‌ ଥଟ୍‌ ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆ ରିଡିଂ ଅଲିମ୍ପିଆଡ୍‌ ଭାରତରେ ପଢିବାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟକ୍ତିବିଶେଷ ତଥା ସଂଗଠନର ପ୍ରୟାସକୁ ସ୍ବୀକୃତି ଦେଇଥାଏ। ପଢିବାରେ ବିପ୍ଲବ ଆଣିବା ଦିଗରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା, ବିଦ୍ୟାଳୟ, ବ୍ୟକ୍ତିବିଶେଷ, ବୁକ୍‌ କ୍ଲବ୍‌, ଲେଖକ ଆଦି ୧୪ଟି ବିଭିନ୍ନ ବର୍ଗଙ୍କୁ ଏହି ସଂସ୍ଥା ପୁରସ୍କୃତ କରିଥାଏ। ‘ବକୁଳ ଫାଉଣ୍ଡେଶନ’ ଏକମାତ୍ର ଅନୁଷ୍ଠାନ ଯିଏକି ‘ଶ୍ରେଷ୍ଠ ଏନ୍‌ଜିଓ’ ଏବଂ ‘ମୋଷ୍ଟ ଇନୋଭେଟିଭ୍‌ ଲାଇବ୍ରେରି’ ଶ୍ରେଣୀରେ ଚୂଡ଼ାନ୍ତ ଶର୍ଟଲିଷ୍ଟରେ ସ୍ଥାନିତ ହୋଇଥିଲା। ପଢିବାକୁ ପ୍ରୋତ୍ସାହିତ କରିବାରେ ଅନୁଷ୍ଠାନର ଅଭିନବ ପଦକ୍ଷେପ ପାଇଁ ଏହି ପୁରସ୍କାର ଲାଭ କରିଛି। ଏକାମ୍ର ହାଟରେ ଏକ ପୁରାତନ ପାନୀୟ ରେଫ୍ରିଜରେଟରକୁ ଲାଇବ୍ରେରିର ରୂପ ଦେବା ହେଉ ଅବା ଫରେଷ୍ଟ ପାର୍କରେ ଟ୍ରି ଲାଇବ୍ରେରି କିମ୍ବା କଳାଭୂମିରେ ଥିବା ପୁରୁଣା ବର୍ଜିତ ବସ୍‌କୁ ଲାଇବ୍ରେରୀରେ ପରିଣତ କରି ଶିଶୁ ଏବଂ ବୟସ୍କଙ୍କ ପାଇଁ ପଢିବାର ସୁଯୋଗ ଆଣିଦେବା ହେଉ, ଏହି ସମସ୍ତ କାର୍ଯ୍ୟ ଜୁରୀଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତେବେ ପୁରସ୍କାର ପାଇବା ପରେ ସୁଜିତ୍‌ କହିଛନ୍ତି, ବହି ମାଧ୍ୟମରେ କେବଳ ପାଠକଙ୍କ ପାଖରେ ପହଞ୍ଚତ୍ବା ଆମର ଲକ୍ଷ୍ୟ ନ ନୁହେଁ, ବରଂ ନୂଆ ନୂଆ ପାଠକ ସୃଷ୍ଟି କରିବା ସହ ସେମାନଙ୍କୁ ଏନେଇ ପ୍ରୋତ୍ସାହିତ କରିବା ମୂଳ ଉଦ୍ଦେଶ୍ୟ। ସେହିପରି ଛୋଟ ପିଲାଙ୍କ ମଧ୍ୟରେ ବିଭିନ୍ନ ବହି ପଢିବା ପାଇଁ ଆଗ୍ରହ ସୃଷ୍ଟି ଲାଗି ଅଭିନବ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Share