ଜିଲାର ଅଧିକାଂଶ ଜଙ୍ଗଲରେ ଲାଗିଛି ନିଆଁ

ନୂଆପଡ଼ା ଅଫିସ,୧୧।୩: ନୂଆପଡା ଜିଲାର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥିବା ଅଭିଯୋଗ ହେଉଛି। ଜିଲାର ବଡପାହାଡ ବୋଲି କୁହାଯାଉଥିବା ଗୋଡା ପାହାଡ, ନୂଆପଡା ଓ ବଲାଙ୍ଗୀର ଜିଲା ମଧ୍ୟ ଭାବେ ଅବସ୍ଥାପିତ ଚାନ୍ଦେଲ ପାହାଡ, ତରବୋଡଠାରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ୱ ରାସ୍ତାର ଭାଲୁଡୋଙ୍ଗରୀ, ବୁଢାରଜା ଜଙ୍ଗଲ, ଲଙ୍କେଶ୍ୱରୀ ଜଙ୍ଗଲ, ୩୫୩ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଘାଟିପଡା ଜଙ୍ଗଲ, ମେଣ୍ଡାଟାଲ, ଶୁକ୍ଲିମୁଣ୍ଡି, ବାବୁପାଲି, ମଖାପଦର ଅଞ୍ଚଳରେ ଥିବା ନିଶାନି ଓ ରାଣୀ ଡୋଙ୍ଗରୀ ଜଙ୍ଗଲ, ଘୋଡା ପାହାଡ ପାଦ ଦେଶରେ ଥିବା ସିଲେଟପାଣି, ବେଲରଦନା, ସିଆଲଲଟି ଜଙ୍ଗଲ, ବୁଟିବାହାଲି ଜଙ୍ଗଲ ସହ ବନ ବିଭାଗ ଦ୍ୱାରା କରାଯାଇଥିବା ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ସବୁ ନିଆଁ ଲାଗି ନଷ୍ଟ ହୋଇସାରିଲାଣି। ଜଙ୍ଗଲ ବିଭାଗ ଖାମ ଖିଆଲି ମନୋଭାବ, ସଚେତନତା ଅଭାବ ଓ ଆବଶ୍ୟକ ସରଞ୍ଜାମ ନ ଥିବାରୁ ଜଙ୍ଗଲରେ ନିଆଁ ଲାଗି ସର୍ବ ସ୍ବାହା ହେଉଥିବା ବରିଷ୍ଠ ଭାଜପା ନେତା ଯଦୁମଣୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ସେହିପରି ପ୍ରକୃତି ବନ୍ଧୁ ଅରୁଣ ବିଶ୍ୱାଳ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ପ୍ରକୃତିର ଦୃଶ୍ୟ ନଷ୍ଟ ହେବା ସହ ବନ୍ୟଜନ୍ତୁମାନେ ବାସହରା ହୋଇ ଗାଁ ମୁହାଁ ହୋଇ ଶିକାରୀଙ୍କ ଶିକାର ହୋଇଥିବା ବେଳେ ବନ୍ୟଜନ୍ତୁର ଶିକାର ମଧ୍ୟ ସାଧାରଣ ଲୋକେ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।

Share