ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏପରିକି ମତଦାନ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ଭୋଟର ସହାୟିକା, ପୁଶିଂ ମେସେଜ୍‌ ଆଦି କରାଯାଉଛି। ବୁଥ୍‌ ଲେଭଲ ଅଫିସର(ବିଏଲ୍‌ଓ)ଙ୍କ ଦ୍ୱାରା ଭୋଟର ଚିରକୁଟ ଓ ଭୋଟର ସହାୟକ ପୁସ୍ତିକା ବଣ୍ଟନ କରାଯାଉଛି। ହେଲେ ଏପରି କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି। ଜଗଦା, ସିଭିଲ ଟାଉନଶିପ୍‌, ଛେଣ୍ଡ ପରି ରାଉରକେଲା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଭୋଟର ଚିରକୁଟ ବଣ୍ଟନରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଅଧିକାଂଶ ଭୋଟର ଉକ୍ତ ଚିରକୁଟ ପାଇ ନ ଥିବା ଯୋଗୁ ମତଦାନ ଦିନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ, ପ୍ରଶାସନିକ ଅଧିକାରୀମାନେ ଏହାର ସମାଧାନ କରୁଛନ୍ତି ବୋଲି ମତ ଦେଇଛନ୍ତି। ଜଗଦାର ଜଣେ ଭୋଟର ଇନ୍ଦୁ ଭୂଷଣ ନାୟକ ଅଭିଯୋଗ କରିଛନ୍ତି, ଦୀର୍ଘବର୍ଷରୁ ଆମେ ଏହି ସ୍ଥାନରେ ମତଦାନ ଦେଇଆସୁଛୁ। ପ୍ରତ୍ୟେକ ନିର୍ବାଚନରେ ଭୋଟର ଚିରକୁଟ ଘରମାନଙ୍କରେ ବଣ୍ଟନ କରାଯାଇଥାଏ। ହେଲେ ଚଳିତଥର କୌଣସି ଚିରକୁଟ ଦିଆଯାଇ ନାହିଁ। ଆଉ ମାତ୍ର ଦିନକ ପରେ ମତଦାନ। ଏପରି କ୍ଷେତ୍ରରେ ଭୋଟରମାନେ ମୌଳିକ ଅଧିକାରୁ ବଞ୍ଚିତ ହେବେ। ଚିରକୁଟ ବଣ୍ଟନ ପରିବର୍ତ୍ତେ ଫୋନ୍‌ କରି ଲୋକଙ୍କୁ କେନ୍ଦ୍ରକୁ ଡକାଯାଇ ଚିରକୁଟ ଦିଆଯାଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ଆବଶ୍ୟକ ରହିଛି ବୋଲି ନାୟକ କହିଥିଲେ। ସେହିପରି ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା କହିଛନ୍ତି, ପ୍ରଶାସନ ପକ୍ଷରୁ ସୁଚାରୁରୂପେ କାର୍ଯ୍ୟ ହୋଇନାହିଁ। ଏପରି ଚିରକୁଟ ବଣ୍ଟନ ହୋଇ ନ ଥିବା ଜଗଦା ଅଞ୍ଚଳରେ ଅନେକେ ଅଭିଯୋଗ ହେଉଛି। ଏହାର ତୁରନ୍ତ ସମାଧାନ଼ କରିବା ଉଚିତ ବୋଲି କେର୍କେଟା କହିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ରା ସିଡିପିଓ ଏମ୍ରାନ୍ସିଆ କୁଲୁଙ୍କୁ ପଚାରିବାରୁ, ବିଶ୍ରା ବ୍ଲକରେ ଜଗଦା ଅଞ୍ଚଳ ରହିଛି। ଏଠାରେ ୫ ଜଣ ବିଏଲ୍‌ଓ ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏହି ଚିରକୁଟ ବଣ୍ଟନ କରୁଛନ୍ତି। ଏଥିରେ ଭୋଟରମାନେ ସହଯୋଗ କରୁନାହାନ୍ତି। ତେବେ ଚିରକୁଟ ବଣ୍ଟନ ଜାରି ରହିଛି ବୋଲି କୁଲୁ କହିଥିଲେ। ସେହିପରି ରାଉରକେଲା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା କରୁଥିବା ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ମନୀଷା ମଧୁଲିକା ହେମ୍ବ୍ରମ କହିଛନ୍ତି ଜଗଦା, ସିଭିଲ ଟାଉନଶିପ୍‌, ଛେଣ୍ଡ ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ଚିରକୁଟ ତ୍ୱରିତ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଉଛି। ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ଜଣେ ଲେଖାଏଁ ବିଏଲ୍‌ଓ ରହିଛନ୍ତି। ତୁରନ୍ତ ସମସ୍ୟା ସମାଧାନ ପାଇଁ କୁହାଯାଇଛି, ଯାହାଦ୍ୱାରା ଭୋଟିଂ ବୃଦ୍ଧି ପାଇବ ବୋଲି ହେମ୍ବ୍ରମ୍‌ କହିଥିଲେ।

Share