ତେଲଙ୍ଗାନାର ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍‌ ଗିରଫ

କଟକ ଅଫିସ,୮ା୪: ହତ୍ୟା ମାମଲାରେ ଫେରାର ଥିବା ତେଲଙ୍ଗାନାର ମୋଷ୍ଟ ଓ୍ବାଣ୍ଟେଡ୍‌ ଉମର ଫାରୁକ୍‌ଙ୍କୁ କଟକ ରେଳ ଷ୍ଟେଶନରେ ଟ୍ରେନ୍‌ ଭିତରୁ ବୁଧବାର ରାତିରେ ରେଳବାଇ ପୋଲିସ ଗିରଫ କରିଥିଲା। ପରେ ତାଙ୍କୁ ତେଲଙ୍ଗାନାରୁ ଆସିଥିବା ସ୍ବତନ୍ତ୍ର ପୋଲିସକୁ ଗୁରୁବାର ହସ୍ତାନ୍ତର କରାଯାଇଥିବା କଟକ ରେଳବାଇ ଥାନା ଅଧିକାରୀ ପ୍ରବୀଣ କୁମାର ସୂଚନା ଦେଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ, ଫାରୁକ୍‌ ଏକ ହତ୍ୟା ମାମଲାରେ ଦୁଇବର୍ଷ ହେବ ତେଲଙ୍ଗାନାର ରାଏ ଦୁର୍ଗମ ଥାନା ଅଞ୍ଚଳରୁ ଫେରାର ହୋଇଯାଇଥିଲେ। ତାଙ୍କୁ ଗିରଫ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଥିଲା। ପରେ ତେଲଙ୍ଗାନା ପୋଲିସ ଫାରୁକ୍‌ଙ୍କୁ ମୋଷ୍ଟୱାଣ୍ଟେଡ୍‌ ବୋଲି ଘୋଷଣା କରିଥିଲା। ଅଭିଯୁକ୍ତ ଫେରାର ହେବା ପାଇଁ ଟ୍ରେନ୍‌କୁ ମୁଖ୍ୟ ମାଧ୍ୟମ ଭାବେ ବାଛିଥିବାବେଳେ ପୋଲିସ ସିଧାସଳଖ ଆର୍‌ପିଏଫକୁ ଏନେଇ ସୂଚନା ଦେଇଥିଲା। ଫାରୁକ୍‌ କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି।

Share