୨୩ବର୍ଷ ଧରି ପାକିସ୍ତାନରେ ଲୁଚି ରହିଛନ୍ତି ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାର୍ଲ୍‌ଡ ଡନ୍‌

ଇସ୍‌ଲାମାବାଦ,୨୪।୮: ପ୍ରଥମ ଥର ପାକିସ୍ତାନ ସ୍ବୀକାର କରିଛି ଯେ, ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ କରାଚିରେ ଲୁଚିଛନ୍ତି। ସେଠାରେ ପାକିସ୍ତାନ ଦାଉଦଙ୍କ ଉପରେ ଏବେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଏଥିସହ ଦାଉଦଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ସିଲ୍‌ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ପକ୍ଷରୁ ଏକ ତାଲିକା ଜାରି କରାଯାଇଛି। ଯେଉଁଥିରେ ପ୍ରତିବନ୍ଧକ ଲଗାଯାଇଥିବା ୮୮ ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ନାମ ରହିଛି। ସେଥିରେ ଦାଉଦଙ୍କ ନାଁ ମଧ୍ୟ ସାମିଲ ରହିଛି। ଏଫ୍‌ଏଟିଏଫ୍‌ର କଳା ତାଲିକାକୁ ଡ଼ରି ପାକିସ୍ତାନ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। କରାଚିର କ୍ଲିଫଟନ୍‌ ରୋଡରେ ଥିବା ସୌଦି ମସ୍‌ଜିଦ ନିକଟ ହ୍ବାଇଟ ହାଉସ୍‌ରେ ଦାଉଦର ଘର ଥିବା କୁହାଯାଉଥିବା ବେଳେ ସେଠାରେ ନିଜ ପରିବାର ସହ ସେ ସ୍ଥାୟୀ ବସବାସ କରୁଛି। ଦାଉଦ୍‌ ନିକଟରେ ୧୪ଟି ପାସ୍‌ପୋର୍ଟ ରହିଥିବା ସୂଚନା ମିଳିଛି। ୧୯୯୩ରେ ମୁମ୍ବାଇର ବିସ୍ଫୋରଣ ମାମଲାରେ ଦାଉଦ ସାମିଲ ଥିବା ବେଳେ ଗତ ୨୩ ବର୍ଷରୁ ଭାରତ ସରକାର ଓ ମୁମ୍ବାଇ ପୋଲିସ ତାଙ୍କୁ ଖୋଜିବାରେ ଲାଗିପଡ଼ିଛି। ପୂର୍ବରୁ ଭାରତୀୟ ଗୋଇନ୍ଦା ବିଭାଗ ଦାଉଦ୍‌ ପାକିସ୍ତାନରେ ଥିବା ନେଇ ଦାବି କରୁଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲା ପାକିସ୍ତାନ। ହେଲେ ଏବେ ପାକିସ୍ତାନ ନିଜ ଆଡୁ ସ୍ବୀକାର କରିବା ସହ ଦାଉଦ ଉପରେ ପ୍ରତିବନ୍ଧକ ଲଗାଇଛି।

Share