ବସ୍ତା,୧୫।୮(ଡି.ଏନ୍.ଏ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଚାଲିକି ଯାଉଥିବା ମା’ ଝିଅଙ୍କୁ ଏକ ତେଲ ବୋଝେଇ ଟେଙ୍କର ଧକ୍କା ଦେଇ ୩୦ ଫୁଟ ଗଭୀରକୁ ଖସି ପଡିଛି। ଫଳରେ ମା’ ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମୁନି ଟୁଡୁ(୫୦) ଏବଂ ତାଙ୍କର ଝିଅ ଶାନ୍ତି ଟୁଡୁ(୧୨)।
ମିଳିଥିବା ସୂଚନା ମୁତାବକ, କଲିକତାରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟେଙ୍କର କଟିପୋଲ ନିକଟରେ ଭାରସାମ୍ୟ ହରାଇ ମା’ ଝିଅଙ୍କୁ ଧକ୍କା ଦେଇଥିଲା। ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଗିରିଫ କରିଥିଲା। ସେ ପ୍ରଚୁର ମଦ ପିଇ ଗାଡି ଚଲାଉଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।