ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ପ୍ରକାଶ ଯେ, ସୁରେନ ମୁଣ୍ଡାଙ୍କ ସ୍ତ୍ରୀ ସୁଖମନି ତାଙ୍କର ପାଞ୍ଚ ପୁଅ ଏବଂ ଝିଅ ସହିତ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ। ରାତିରେ ଏକ ବିଷାକ୍ତ ସାପ ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟାକୁ କାମୁଡ଼ି ଦେଇଥିଲା। ଶନିବାର ଭୋର୍‌ ସମୟରେ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରି ତଦନ୍ତ କରୁଛି। ସ୍ତ୍ରୀ ଓ ଝିଅକୁ ହରାଇ ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁଙ୍କୁ ଧରି ସୁରେନ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କେନ୍ଦୁଝର ଜିଲାରେ ସାପ କାମୁଡାରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଗରିବ ଆଦିବାସୀ ପରିବାରର ବୋଲି ଜଣାପଡ଼ିଛି। ଡାକ୍ତରଖାନାରେ ଇଞ୍ଜେକସନ ମହଜୁଦ ଅଛି। ତେବେ ବିଳମ୍ବରେ ସାପ କାମୁଡିଥିବା ଜାଣିବା ଏବଂ ବିଳମ୍ବରେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ପହଞ୍ଚିଥିବାରୁ ଚିକିତ୍ସା ବିଳମ୍ବ ହେଉଛି। ଫଳରେ ରୋଗୀ ଗୁରୁତର ହୋଇ ମୃତ୍ୟୁବରଣ କରୁଛନ୍ତି। ବିଶେଷକରି ମେ’ରୁ ଅକ୍ଟୋବର ମଧ୍ୟରେ ବିଭିନ୍ନ କାରଣରୁ ସାପକାମୁଡ଼ା ଘଟଣା ଘଟିଥାଏ। ଏଣୁ ସଚେତନତା ଓ ସତର୍କତା ଅଧିକ ଜରୁରୀ ବୋଲି ଏଡିଏମ୍‌ଓ ମେଡ଼ିକାଲ ଡାକ୍ତର ଅସୀମ ଦେ କହିଛନ୍ତି।

Share