କୋଚିଂ,୧୦ା୯: କୋଚିଂ ସହର କୋଟାରେ ପୁଣି ଥରେ ଦୁଇଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବୋରଖେଡ଼ା ଥାନା ଅନ୍ତର୍ଗତ ଏକ ବହୁ ମହଲା କୋଠାରେ ରହୁଥିବା ମା’ ଏବଂ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟର କଥା ବହୁ ମହଲା କୋଠାରେ ଥାଇ ମଧ୍ୟ ୨୪ ଘଣ୍ଟା ଧରି ଏହି ଘଟଣା ବିଷୟରେ କେହି ଜାଣିପାରି ନ ଥିଲେ। ଯେତେବେଳେ ମା’ ଏବଂ ପୁଅ ସେମାନଙ୍କ ଫୋନ୍ର ଉତ୍ତର ଦେଇ ନ ଥିଲେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ୍ର କବାଟ ଭାଙ୍ଗିଥିଲେ, ପରେ ଘଟଣା ସାମ୍ନାକୁ ଆସିଥିଲା।
ବୋରଖେଡା ଥାନା ଅଧିକାରୀ ଜିତେନ୍ଦ୍ର ସିଂ କହିଛନ୍ତି, ଏହି ଘଟଣା ଉକ୍ତ ଅଞ୍ଚଳର ୮୦ ଫୁଟ ରାସ୍ତାରେ ଅବସ୍ଥିତ ବହୁ ମହଲା କୋଠାରେ ଘଟିଛି। ସତବିନ୍ଦର କୌର (୫୯) ଏବଂ ତାଙ୍କ ପୁଅ ରବିନ (୨୯)ଙ୍କ ସହ ରହୁଥିଲେ। ଶନିବାର ଉଭୟଙ୍କ ମୃତଦେହ ସେମାନଙ୍କ ଫ୍ଲାଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଉଭୟ ମୃତଦେହ ନିକଟରେ ଏକ ଗ୍ଲାସ ମଧ୍ୟ ମିଳିଥିଲା। ଏଥିରେ ବିଷାକ୍ତ ପଦାର୍ଥର କିଛି ଚିହ୍ନ ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି। ଏଥିରେ ରବିନ ତାଙ୍କ ସହ ଘଟୁଥିବା ଦୁଃଖଦ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।
ମୃତଦେହ ମିଳିବାର ପ୍ରାୟ ୨୪ ଘଣ୍ଟା ପୂର୍ବରୁ ଉଭୟଙ୍କୁ ପରିବାର ସଦସ୍ୟ ଅନେକ ଥର ଫୋନ କରିଥିଲେ ମଧ୍ୟ ଉଭୟ ମା ଓ ପୁଅଙ୍କ ମୋବାଇଲ ଫୋନ ଉଠାଯାଇ ନ ଥିଲା। ସେ ବିଲ୍ଡିଂରେ ରହୁଥିବା ପଡ଼ୋଶୀମାନଙ୍କୁ ଡାକି ଏ ବିଷୟରେ ପଚାରିଥିଲେ। ପରେ ଯେତେବେଳେ ବିଲ୍ଡିଂରେ ରହୁଥିବା ଲୋକମାନେ ତାଙ୍କ ଫ୍ଲାଟ୍ର କବାଟ ବାଡ଼େଇଲେ, କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ଜଣାଇଥିଲେ। ପରେ ପରିବାର ଲୋକଙ୍କ ସହ ଫ୍ଲାଟ୍ରେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଫ୍ଲାଟ୍ର କବାଟ ଭାଙ୍ଗିଥିଲେ, ସେମାନଙ୍କ ମୃତଦେହ ଭିତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ଏକ ବର୍ଷ ପୂର୍ବେ ସତବିନ୍ଦରଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମା ଏବଂ ପୁଅ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସେ ଋଣ ଗ୍ରସ୍ତ ଅଛନ୍ତି। ଆର୍ଥିକ ପ୍ରତିବନ୍ଧକ ହେତୁ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ବୋରଖେଡ଼ା ପୋଲିସ ସମଗ୍ର ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ ଦେଢ଼ ବର୍ଷ ମଧ୍ୟରେ କୋଟାରେ ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି।